ମନା ନାହିଁ
ମନା ନାହିଁ


ନୂଆବର୍ଷ ପ୍ରତିବର୍ଷ ଆସୁଛି ଆସିବ
ମନା କିଏ ବା କରିବ
ଡିସେମ୍ବର ଏକତିରିଶ ରାତି ସରିବ
ଧାରାବାହିକ ଧରା ହସିବ
ନୂଆ ବର୍ଷ ଶୁଭେଚ୍ଛାରେ
ଗଗନ ପବନ ପ୍ରକମ୍ପିତ ହେବ
ମନା କିଏ ବା କରିବ
ପୁରୁଣା ଦେହରେ ନୂଆ ପୋଷାକ ପରି
ପୁରୁଣା ବୋତଲରେ ନୂଆ ମଦିରା ପରି
ପୁରୁଣା ଅଭିପ୍ସା ମାନଙ୍କୁ ବିଦାୟ କହୁ କହୁ
ନୂତନ ମୁଦ୍ରାରେ ସ୍ୱାଗତମ୍ ପର୍ବ ଚାଲିବ
ମନା କିଏ ବା କରିବ
ନୂଆବର୍ଷ ଆସୁ - ମନା ନାହିଁ
ପୁରୁଣା ସ୍ବପ୍ନଙ୍କୁ ଭାଙ୍ଗି ଚୁର୍ ମାର୍ ନ କରୁ
ପୁରୁଣା ଇଚ୍ଛାଙ୍କୁ ତଣ୍ଟି ଚିପି ନ ମାରୁ
ପୁରୁଣା ଇତିହାସର ପୃଷ୍ଠାରେ ବରଂ
ଯୋଡିଦେଉ ଫର୍ଦ୍ଦ ପରେ ଫର୍ଦ୍ଦ ସମ୍ଭାବନାର
ପୁରୁଣା ମୋବାଇଲରେ ନୂଆ ରିଙ୍ଗଟୋନ ପରି
ଆଖିକୋଣେ ଆଙ୍କିଦେଉ ଟୋପା ଟୋପା
ଖୁସିଲୁହ ସହ ଅତୁଲ୍ୟ ବିଶ୍ଵଭାତୃତ୍ବର
ନୂଆବର୍ଷ ପାଳନ ହେଉ - କିଏ ବା ମନା କରିବ
ମାତ୍ର ଘରେ ନାହିଁ ଲେମ୍ବୁ ଲୁଣ
ପୁଅ ମାଗଣା ମଦ ପିଇ କାଣ୍ଡ କରୁଛି ଅକାରଣ
ରୁଗ୍ଣ 'ମା ପାଇଁ ଔଷଧ
କିଣିବାକୁ ସମ୍ବଳହୀନ
ନୂଆବର୍ଷ ଭୋଜି ମଉଜ ପାଇଁ ଫନ୍ଦୀ ଘୁର୍ଣ୍ଣନ
ନୂଆବର୍ଷ ଆସୁ , ଏମିତି ନ ବାସୁ
ନାରକୀୟ ହତ୍ୟାକାଣ୍ଡର ରକ୍ତ ଛିଟାରେ
ଗ୍ୟାସ ସିଲିଣ୍ଡର ଫଟାରେ ଆର୍ତ୍ତ ଚିତ୍କାରରେ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁଶଯ୍ୟାରେ
ନୂଆବର୍ଷ ଆସୁ , ସଭିଙ୍କ ଘରେ
ମନରେ ଚିନ୍ତାରେ ଭାବରେ ଭାବନାରେ
ଦାଣ୍ଡରେ ରଙ୍ଗୋଲି ଆଙ୍କିଦେଲେ
ଫୋଲତୋଡ଼ା ନୂଆ ଡାୟରୀ ଦେଇଦେଲେ
ଦଳା ଚକଟାରେ ଦିଅଁ ଦର୍ଶନ କରିଦେଲେ
ଶୀତ କାକରରେ ମହୋଦଧି ସ୍ନାନ ସାରିଦେଲେ
ନୂଆବର୍ଷର ପ୍ରହସନ ନ ହେଉ
ନୂଆବର୍ଷରେ ନୂଆ ପୁସ୍ତକ ବଣ୍ଟାଯାଉ
ଗୁରୁଜନଙ୍କ ଚରଣ କମଳରେ
ଭକ୍ତି ନୈବେଦ୍ୟ ଅର୍ପଣ ହେଉ
ଚେତନାର ଚିତାକର୍ଷକ ଅଭିଯାନରେ
ଆଉ ପାଦେ ଆଗୁସାର ହେଉ
ମାନବ ଆତ୍ମାରୁ ମାନବିକତାର ଉଦ୍ଗିରଣ ହେଉ
ମହାମାନବର ମହାଯାତ୍ରାରେ
ନୂଆବର୍ଷରେ ନବାରୁଣରେ ନୂଆ ଆରମ୍ଭ ହେଉ ହେଉ
ମହାମାନବର ମହାଯାତ୍ରାରେ
ନୂଆବର୍ଷରେ ନବାରୁଣରେ ନୂଆ ଆରମ୍ଭ ହେଉ