ମନ
ମନ
ଲୋଭ ମୋହ ମାୟା ଦାନବ ପ୍ରକୃତି
ଗ୍ରାସ କରେ ଯାକୁ ଲଭେ ସେ ଦୁର୍ଗତି ।।
ବିଷୟ ଆବେଶେ ଜନମେ କାମନା
କାମନା ପୂର୍ତ୍ତିରେ ମନ ବାଟବଣା ।।
ଇଚ୍ଛା ଅପୂରଣେ କ୍ରୋଧର ଜନମ
କ୍ରୋଧ ନାଶକରେ ହିତହିତ ଜ୍ଞାନ ।।
ବୁଦ୍ଧି ନାଶ ହୁଏ ସ୍ମୃତିର ବିଭ୍ରମେ
ସକଳ ବିନାଶ ଆସକ୍ତି କାରଣେ ।।
ବେଗଗାମି ଘୋଡା ଲଗାମ ବିହୁନେ
ମନ ଭ୍ରମୁଥାଏ ଇଚ୍ଛା ଆକର୍ଷଣେ ।।
ସଇତାନ ବାସ ଖାଲି ଯାର ମନ
ସୁକର୍ମେ ଯା ମତି ଧନ୍ୟ ତା ଜୀବନ ।।
ପରର ଚର୍ଚ୍ଚାରେ ବିତେ ଦିନ ରାତି
ଦୁର୍ଜନ ଅଟଇ ଜାଣ ସେ ଦୁର୍ମତି ।।
ଅନ୍ୟ ମୁଖେ ଯିଏ ଖେଳାଏ ଫଗୁଣ
ପରହିତେ ମଣେ ସଫଳ ଜୀବନ।।
ଅନାସକ୍ତ ଭାବ ସ୍ଥିତପ୍ରଜ୍ଞ ଗୁଣ
ପଦ୍ମ ପତ୍ରେ ଜଳେ ଅଟଇ ଯେସନ ।।
ମନକୁ ସଂଯମି ପାରଇ ତ ଯିଏ
ଅନନ୍ତ ସୁଖର ଅଧିକାରୀ ସିଏ ।।
ସତ୍ ଚିନ୍ତନରେ ଦୃଢ ଯାର ମନ
ଜିତେନ୍ଦ୍ରିୟ ସିଏ ଏସାରା ଭୁବନ ।।