ମନ
ମନ
ଏ ମନ ତୁ ଭାରି ଦୁଷ୍ଟ
ଭାସିଯାଉ ସମୟ ସୁଅରେ
କାଗଜର ନାଆ ସାଜି
ନିଜର ଠିକଣା ନ ପାଇ
ପୁଣି ଫେରି ଆସୁ ତୁ
ସେ ଅଭୁଲା ଅତୀତ ପାଖକୁ ।।
ଏ ମନ ତୁ ଚଳଚଞ୍ଚଳ
ଭାବୁ ତୁ ଅନେକ କଥା
ଦେଖୁ ତୁ ଅନେକ ସ୍ୱପ୍ନ
ସମସ୍ତଙ୍କୁ ନିଜର ଭାବି
ଛଳନାର ଶିକାର ହୋଇ
ଭାଙ୍ଗି ଯାଉ ତୁ ଟୁକୁରା ଟୁକୁରା ହୋଇ ।।
ଏ ମନ ତୁ ଶୁଷ୍କ ମରୁଭୂମି
ରବିର ତାପରେ ଜଳୁ ତୁ ବିରହ ନିଆଁରେ
ଚାତକ ପରି ତୁ ଅନେଇ ବସୁ
ଟୋପାଏ ବର୍ଷାର ଛିଟା ପାଇଁ ।।
ଏ ମନ ତୁ କେବେ ସ୍ଥିର ସରୋବର
କାଚକେନ୍ଦୁ ଜଳରେ ଦେଖୁ ତୁ
ସେ ଅତୀତର ପ୍ରତିଛବିଗୁଡିକୁ
କେବେ ହସୁ କେବେ କାନ୍ଦୁ
ଭିନ୍ନ ଭିନ୍ନ ଭାବନାରେ ହଜିଯାଉ ତୁ
ସେ ଅଫେରା ସହରରେ ।।