ମନ ମରାଳ
ମନ ମରାଳ
1 min
251
ମନର ମରାଳ
କଥା ମାନେ ନାହିଁ
ନିତି ଉଡିଯାଏ ଦୂରେ।
ଖୋଜେ ସେ ଜଣକୁ
ଦୂର ଦିଗବଳୟେ
ସାଗରର ଆର ପାରେ।
ଗାଇବ ଯା ଆଗେ
ଜୀବନ ସଙ୍ଗୀତ
ସାତ ସୁରେ ବୀଣା ବାଇ।
ଖେଳିବ ତା ସଙ୍ଗେ
ବୋହୂଚୋରି ଖେଳ
ରାଗରୁଷା ଭୁଲିଯାଇ।
ହସିବ ଯା ସାଥେ
ମନଖୋଲା ହସ
ଅନ୍ତରୁ ମମତା ଦେଇ।
ଭୁଲିବ ସକଳ
ସଂସାର ଜଞ୍ଜାଳ
ତା ମିଠା ପରଶ ପାଇ।
ଶୁଣିବ ତା ସାଥେ
କୋଇଲିର କୁହୁ
ମୃଦୁ ମଳୟରେ ଭାସି।
ସବୁରି ହୃଦରେ
ସେନେହର ବୀଜ
ବୁଣିବ ତା ସହ ହସି।
କୁସୁମ ପରାୟେ
ହାଲୁକା ଜୀବନ
ସଂସାର ଜଞ୍ଜାଳେ ଭାରି।
କି ଲାଭ ମନକୁ
ଗର୍ବ ଅହଙ୍କାରେ
ବୃଥା ଭାରାକ୍ରାନ୍ତ କରି ?
ମିଳନ୍ତା କି ଜଣେ
ମନର ମଣିଷ
ମନକୁ ବୁଝିବା ପାଇଁ।
ଯା ଓଠ ହସରେ
ମନ ସରସୀରେ
ଫୁଟୁଥାନ୍ତା ନୀଳ କଇଁ !