ମନ ବସନ୍ତ କି ସୁନ୍ଦର
ମନ ବସନ୍ତ କି ସୁନ୍ଦର
ବସନ୍ତରେ ରସା ରସାଣିତ ହେଲା ମନ୍ଦ ମନ୍ଦ ଗତି ଅନିଳ
ଅଙ୍ଗବଲ୍ଲରୀ କି ମଣ୍ଡି ଦେଇଅଛି ଲୋହିତ ପଲ୍ଲବ ଦୁକୂଳ
ସୁଜନେ, ଆସିଲାଣି ନବ ବସନ୍ତ
ତରୁ ଲତା ହସେ କୁସୁମ ପରଶେ ପରଭୃତ ଗାଏ ସଂଗୀତ ।
ତୋ ମନେ ବସନ୍ତ ହେଲା ଉପଗତ ମଳୟ ଯେମନ୍ତେ ଅଧୀର
ତୋ ଅଙ୍ଗର ରଙ୍ଗ ଗଲାଣି ବଦଳି ଦିଶୁଅଛୁ ବଡ଼ ସୁନ୍ଦର
ତେମନ୍ତେ, ହେଲାଣି ଆସି ତୋ ବେଭାର
ତୋଆଖି କୋକିଳ ଗୀତକି ଗାଉଛି ଫୁଲ ଯେହ୍ନେ ମୁଖମଣ୍ଡଳ ।
ସରସୀରେ ସରସୀଜ ପ୍ରଷ୍ଫୁଟିତ ମନକୁ ହରଣ କରଇ
ଗୁଣୁଗୁଣୁ ସୁରେ ଭ୍ରମର ପାଗଳ ହୋଇ ମକରନ୍ଦ ଲୁଟଇ
ସୁଜନେ, ଭ୍ରମନ୍ତି ଆହାକି ଉଲ୍ଲାସେ
ବିହଙ୍ଗମ କୁଳ ଅଳି ମାଳ ମାଳ ଉଡ଼ନ୍ତି ଆହାକି ହରଷେ ।
ତୋମନ ବସନ୍ତ ହୁଅନ୍ତେ ପ୍ରବେଶ ବକ୍ଷ ସରସୀରେ ସଜଳ
ସଜ ସରସୀଜ ହେଲା ପ୍ରଷ୍ଫୁଟିତ ଦେଖି ଅଳି ଯେହ୍ନେ ପାଗଳ
ତେମନ୍ତେ, ଭ୍ରମର ସମାନ ବିହ୍ବଳ
ହୋଇଲା ରସିକ ଦେଖି ସେହି ରୂପ ମକରନ୍ଦ ପାନେ ବିକଳ ।
ବସନ୍ତ ଆସନ୍ତେ ଜୀର୍ଣ୍ଣ ଧରଣୀରେ ନନ୍ଦନ ବନକି ପ୍ରବେଶ
ସଞ୍ଚରଇ ନବ ପୁଲକ ଅଚିରେ ବିଷାଦ ହୁଅଇ ବିନାଶ
ସୁଜନେ,ସ୍ଥାବର ଜଙ୍ଗମ ସକଳ
ପ୍ରାଣେ ମନ୍ଦାକିନୀ ଝରଇ କିଅବା ଶୁଭବାର୍ତ୍ତା କରେ ପ୍ରଚାର ।
ବସନ୍ତ ତୋମନ ନବୀନ ଯୌବନ ତୋ ଅନ୍ତର କରି ଚୁମ୍ଵିତ
ବସନ୍ତ ମାଧୁରୀ ମଦିରା ପାନରେ କରିଅଛି ସର୍ବେ ମୋହିତ
ତେମନ୍ତେ, ଉଦ୍ଦାମ ଉଲ୍ଲାସେ ସୁନ୍ଦରୀ
ଅଳକା ଭୁବନ ଶିରୀ ସୁରମ୍ୟ ତୋ ମନର ବସନ୍ତ ମୟୂରୀ ।