ମଳୟ ଛୁଆଁ
ମଳୟ ଛୁଆଁ
ବସନ୍ତ ମଳୟ ଛୁଆଁ
ମନ ପ୍ରାଣେ ଜାଗେ ଚିଆଁ
ଧରଣୀ ଲାଗଇ କେତେ ନୂଆ ନୂଆ
ବୃକ୍ଷେ ନବ କିଶଳୟ
ଅଭିନବ ସେ ଚିନ୍ମୟ
ଅଭିସାରିକାର ଅନ୍ତରେ ଲାଗଇ ନିଆଁ ।
ଭାବନା ରାଇଜେ ଲିପ୍ତ
ବିରହିଣୀ ଯେ ପ୍ରମତ୍ତ
ଦେଖିବାଜୁ ନିଶି ପ୍ରାନ୍ତେ ଅବ୍ୟକ୍ତ ସ୍ୱପ୍ନ
ଅଭିସାର ପ୍ରୀତି ସୁରା
ପାନେ ଲିପ୍ତ ନାରୀ ହୀରା
ଲଭିବାକୁ ପ୍ରିୟତମ ପ୍ରୀତି ଚୁମ୍ବନ ।
ଅସୁମାରୀ ଆଶା ଯେତେ
ରହି ପ୍ରିୟତମ ସାଥେ
ଚହଲା ମନେ ଜାଗିବ ପ୍ରଣୟ ମେଳି
ଅଣାୟତ ଶିହରଣ
ଉନ୍ମାଦନାର ଉଦ୍ଦୀପନ
ରୋମାଂଚିତ ପ୍ରାଣେ ଶୁଭେ ପ୍ରେମ କାହାଳୀ ।
ପ୍ରେମ ଭାବନାରେ ସିକ୍ତ
ହୃଦୟ ଚେତନା ଯୁକ୍ତ
ସୋହାଗରେ ପୁର୍ଣ୍ଣ ପ୍ରିୟତମା ମାନସ
ଜନମ ଜନମ ସାଥୀ
ଅନାବିଳ ସ୍ନେହ ପ୍ରୀତି
ଫେଡ଼ିଦେଵ ତୃଷ୍ଣା ଆଣି ହୃଦୟେ ରାସ।
କୋକିଳର କୁହୁ ସ୍ଵନ
ପରାଣେ ମଧୁ ଗୁଞ୍ଜନ
ଅଭିନବ ପ୍ରେମ ରସେ ରସିବ ଧରା
ବସନ୍ତ ରାସ ଆହ୍ୱାନ
ପ୍ରୀତିଲଗ୍ନା ପ୍ରେମେ ମଗ୍ନ
ବହିଯିବ ପ୍ରୀତି ଗଙ୍ଗା ପାବନି ଧାରା ।