ମକର
ମକର
ଦିନ ହୁଅଇ ଲୋ ବକର
"ଆମ ଦିନ କାଳ ଆସିଲାଣି ସରି"
କୁହୁଡି କୁ କହେ କାକର ।
ମକର କ୍ରାନ୍ତି ରୁ ସୂରୁଯ କରନ୍ତି
ଉତ୍ତର ଆୟନ ଯାତ୍ରା
ଶୀତ ଛାଡି ଯାଏ ବଢିବଢି ଯାଏ
ପବନର ତାପମାତ୍ରା।
ମକର ଠାରୁ ତ ରାତି ହୁଏ ଛୋଟ
ବଡ଼ ହୋଇ ଆସେ ଦିନ
ଚୁପିଚୁପି ବହେ ଚଇତି ପବନ
ଉଲୁସି ଉଠଇ ମନ ।
ପତ୍ରଝଡ଼ା ସବୁ ଗଛ ଦେଇଥାନ୍ତି
କଅଁଳେ ପତର ନୂଆ
ନୂଆ ପତରରେ ଭରିଗଲେ ଗଛ
ରଙ୍ଗ ଲାଗେ ମନଛୁଆଁ ।
ଜାତି ଜାତି ଫୁଲ ବନ ଉପବନେ
ରଙ୍ଗ ର ତ ହାଟ ବସେ
ମହକ ମହକି ଦିଗ ଚଉଦିଗ
ମହମହ ହୋଇ ବାସେ ।
କୁନା କୁନି ଆମେ ଫୁଲ ଙ୍କୁ ତ ଦେଖି
ମନେମନେ ସବୁ ଭାବୁ
ଫୁଲ ପରି କାଲି ମହକ ବୁଣିବୁ
ଆମେ ଯେବେ ବଡ଼ ହେବୁ ।
