ମିଲନ
ମିଲନ
ପାହାଡ଼ ଭିତର ପଥର ତଳ
ଜଳ ବୁନ୍ଦା ଗଡିଆସି
ଝରଣାର ଝର ଝଟକଇ ତାର
ନଦି ଟିଏ ପରକାଶି।
ଟିକି ମଂଜି ଦେହେ ବିଶାଳ ବୃକ୍ଷ
ଦିଏ ଛାଇ ମିଠା ଫଳ,
ଝରଣା ଆଗକୁ ନଦୀ ନାମ ବହି
ଗଭୀର ଅଗାଧ ଜଳ।
ଏକା ଏକା ଧାଇଁ ବିଲ ବନ କାହିଁ
ପରିଶ୍ରମ ଦିନ ରାତି,
ବହୁ ପଥ ଚାଲି ଶଯ୍ୟା ସରୁ ବାଲି
ସଙ୍ଗମ ଶାଗର ମାତି।
ଅବିଶ୍ରାନ୍ତ ଶ୍ରୋତ ପ୍ରବାହ ଅମ୍ବୃତ
ପାନ କରି କୂଳ ବାସୀ
ଶସ୍ୟ ଶ୍ୟାମଳ ମୃତ୍ତିକା ଉର୍ବର
ଫଳ ଫୁଲ ରାଶି ରାଶି।
ଖରା ଦିନ ତାତି ଜାଡ ଶୀତ ରାତି
ବରଷାରେ ଫୁଲେ ଛାତି,
ଜଳଚର ପ୍ରାଣୀ ତାକୋଳକୁ ଆଣି
ପାଲିଛି ଜତନେ ମାତି।
ଡଙ୍ଗା ପାରିକରେ ନାଆ ଭାସିଯାଏ
ହସୁଥାଏ ଶସ୍ୟ କ୍ଷେତ,
ନଦୀରେ ସିନାନ ଗଙ୍ଗା ତୀର୍ଥ ଜଳ
ମାଆ ପରି ପାଖେ ସେତ।
କେତେ ଉପନଦୀ ସଭିଙ୍କର ଗତି
ଜଳଧି ଛୁଅନ୍ତି ଧାଇଁ,
ସାଧନାର ଫଳ ଏକାକାର ଜଳ
ଜୀବନ ଶାଗର ପାଇଁ।