ମିଛ ମାୟା ସଂସାର
ମିଛ ମାୟା ସଂସାର


ଦୁନିଆଟା ଏକ ରଙ୍ଗମଞ୍ଚ ହେଲେ
ଆମେ ସବୁ ନାଟ୍ୟକାର
ରାତି ପାହିଗଲେ ସକାଳ ହୋଇଲେ
କେହି ନୁହଁନ୍ତି କାହାର।
ମିଛ ମାୟା ଭରା ସଂସାର ଜାଲରେ
ପଡ଼ି ରହିଛନ୍ତି ସର୍ବେ
ଆଶା ଅସୁମାରୀ ମାୟାରେ ମୋହିତ
କରିଥାଏ ମତ୍ତ ଗର୍ବେ।
ପାପ ରୂପୀ ପଙ୍କେ ମାଡ଼ିଦିଏ ନେଇ
ଜାଣି ନ ପାରେ ମାନବ
ବୃଥାରେ ନାଚଇ ମଞ୍ଚ ନ ଛାଡ଼ଇ
ସ୍ୱାର୍ଥପର ମନୋଭାବ।
ପୁତ୍ର କନ୍ୟା ପତି ସଭିଏଁ ଅଟନ୍ତି
ସୁଖର ସାଥୀ ସଙ୍ଗାତ
ଏଠି ସବୁ ମିଛ ମିଛ ଭିତରେ ତ
ଏକା ଚକାଡୋଳା ସତ।
ବେଳ ଥାଉ ଭାବ ଭାବରେ ସଙ୍ଗାତ
ବିଭୁ ପଦେ ରଖି ମାଥ
ମାୟା ପଥ ଛାଡ଼ି ଭକ୍ତି ଭାବେ ବାନ୍ଧି
ହେବାକୁ ନିଅ ଶପଥ।
ହରି ନାମ ଜପି କୃଷ୍ଣ ନାମ ଭଜି
ଭବ ସାଗରକୁ ପାରି
ହେବାପାଇଁ ସଜ ହୋଇଲେ ଦେଖିବ
ଉଦ୍ଧରି ନେବେଟି ହରି।