ମହକ
ମହକ
ମଣିଷ ମନର ମହତ ଚେତନା
ମହାନୁଭବତାର ମହକ
ମାନବ ହୃଦୟେ ଶାଶ୍ୱତ ଭାବନା
ସୁଷମା ରେ ଥାଏ ମହକ ।
ମାନବର ସେବା ମାଧବଙ୍କ ସେବା
ମହନୀୟତାର ମହକ
ମନ ମନ୍ଦିରରେ ଦେବାର୍ଚ୍ଚନା ଭକ୍ତି
ମୂର୍ଚ୍ଛନାରେ ଝରେ ମହକ ।
ମୁକୁଳା ମନରେ ସଦ୍ ଜ୍ଞାନ ଉଇଁଲେ
ଦିବ୍ୟ ଚମକର ମହକ
ମାଟି ମରତରେ ଦୟା କ୍ଷମା ସେବା
ଆଲୋକେ ଭାସଇ ମହକ।
ମାଆର ଶରଧା ସେନେହ ପରଶେ
ଥାଏ ଅନାବିଳ ମହକ
ମଙ୍ଗଳ ମୟଙ୍କ ମାନବୀୟଲୀଳା
ଜୀବ ପ୍ରାଣେ ଆଣେ ମହକ ।
ମଉସୁମୀ ମେଘ ପହିଲି ଛୁଆଁରେ
ଓଦା ମାଟି ମିଠା ମହକ
ମୋହନ ମୂରଲୀ ମହୁଆ ମାଦକେ
ମିଞ୍ଜା ସପ୍ତସ୍ୱର ମହକ।
ମୁନୀ ମନ ଜିଣା କାନନ ଝରଣା
ପୁରିଛି ଶାନ୍ତିର ମହକ
ମନ ମୁଗ୍ଧ କର ପ୍ରକୃତିର ଶୋଭା
ସାଧନା ସିଦ୍ଧିର ମହକ ।
ମୂଳେ ଝଡ଼ ଝଞ୍ଜା ଦହକ ସହିଲେ
ଜୀବନେ ଆସିବ ମହକ
ପଳାଶ କୁସୁମ ହୁଏ ଅନାଦାର
ଯେଣୁ ବୁଣେ ନାହିଁ ମହକ ।
ମହାବାହୁ ଙ୍କର ମହାପ୍ରସାଦରେ
ପୁରିଛି ମହିମା ମହକ
ମହମହ ବାସେ କୁଡୁଆର ଅନ୍ନ
ଲକ୍ଷ୍ମୀ ହାତରନ୍ଧା ମହକ ।
ମାଆ ହାତରନ୍ଧା ଉଷୁନା ପଖାଳ
ଦହି ଲଙ୍କା ଛୁଙ୍କ ମହକ
ମିଶିଛି ସେଥିରେ ମାଆର ମମତା
ଖାଇଲେ ଜାଣିବୁ ମହକ ।
ମହାଦେବ ପୀଠେ ମହୀମ୍ନ ପଢିଲେ
ମନ୍ତ୍ର ଶକ୍ତି ଭକ୍ତି ମହକ
ମହାମନ୍ତ୍ର ହରେ କୃଷ୍ଣ ହରେ ରାମ
ପ୍ରାଣେ ପୁଲକିତ ମହକ ।
ମହାମନିଷୀ ଙ୍କ ସତ୍ୟସାର ବାଣୀ
ମହତ୍ତ୍ୱରେ ଅଛି ମହକ
ମନ ଥୟ କରି ଅଜପା ଜପିଲେ
ସର୍ବାନ୍ତ କରଣେ ମହକ ।
ମନ୍ଦିର ବେଢାରେ ବୁଲିଆସ ଥରେ
ମହମହ ଧୂପ ମହକ
ମନକୁ ମାଜ୍ଜିତୁ ଜ୍ଞାନାମୃତ ପିଅ
ରସନା ଢାଳିବ ମହକ ।
ମଧୁର ଵିନୟ ବଚନ ଯାହାର
ଚରିତ୍ର ସୁଧାର ମହକ
ମୋହ ମାୟା ତ୍ୟାଗୀ ସଂସାରେ ସେ ଯୋଗୀ
ପୁରୁଷାର୍ଥ ତାର ମହକ ।
ମଣିଷ ଏକାଳେ ବଡ଼ ଅବିଚାରୀ
ଲୋଭ ମୋହ ତାଙ୍କ ମହକ
ମାରିବ ମରିବ ସବୁ ଲୁଟିନେବ
ନିଜ ଗର୍ଵ ଦମ୍ଭ ମହକ ।
ମୂଲିଆ ଖଟଇ ଝାଞ୍ଜି ଝଡ଼ ସହି
ମୂଲରୁ ପାଏ ସେ ମହକ
ମାଲିକ ବୁଲଇ ଛାତିକୁ ଫୁଲାଇ
ମତଲବ ତାର ମହକ।
ମାଆ ଧାନକୁଟି ପୁଅ ଯା' ନାଗର
ସଉକରେ ବାରେ ମହକ
ମାଣି ଠାଣି ତାର ମକଦ୍ଦମ ପରି
ସୁରା ସାକୀରେ ତା ମହକ ।
ମହକ ନୁହଁଇ କୁହୁକ ପେଟେରା
ମାଗିଦେଲେ ଦେଵ ମହକ
ମହତ ଚିତ୍ତରେ ଦୁଃଖୀ ଦୁଃଖ ବୁଝ
ସେବା ସମର୍ପଣେ ମହକ ।