ମେଘ ସବାରୀ
ମେଘ ସବାରୀ
ଭଲ ପାଇବାର ରାଇଜେ ମୁଁ ଯିବି
ମେଘ ! ତୋ ସବାରୀ ନେଇ ଆ।
ଯେଉଁଠାରେ ନାହିଁ ନିଜପର ଭାବ
ସେ ରାଇଜେ ମୋତେ ନେଇଯା।
ବାଦଲ ଉହାଡେ ଚାହିଁଛି ଚନ୍ଦ୍ରମା
ତାକୁ ତୋ ସାଥିରେ ନେଇ ଆ।
ଆମ ଚଲାପଥେ ବୁଣିବ ଜୋଛନା
ଧରି ସେ ଶୀତଳ ବାଆ।
ନନ୍ଦନକାନନୁ ତୋଳିବୁ ସୁମନ
ସଜାଇବୁ ତୋ ସବାରୀ।
ତୋ କଳାବସନ ନେବାକୁ ସେଠାରେ
ଝୁରି ହେଉଥିବେ ପରୀ।
ଅଳକାନନ୍ଦାରେ ପଖାଳିବୁ ତନୁ
ଆଣିବୁ ବହିଣ ପାଣି।
ପଥଶ୍ରମ ହେଲେ ମୁଖ ପଖାଳିବା
ନ କର କିଛି ଭାଳେଣି।
ବନ ଉପବନୁ ତୋଳିବୁ ତୁ ଫଳ
ଆଣିବୁ ତୁ ଫଳଭାର।
ନୂତନ ବନ୍ଧୁଙ୍କୁ ସଙ୍ଖୋଳିବା ଆମେ
ଦେଇ ପ୍ରୀତି ଉପହାର।
ନାହିଁ ଯେଣୁ ତାଙ୍କ ନିଜପର ଭାବ
ଆମ୍ଭଙ୍କୁ ନେବେ ପାଛୋଟି।
ସମସ୍ତଙ୍କ ଓଠେ ଫୁଟିଥିବ ହସ
ବିଷାଦ ନଥିବ ସେଠି।
ସେନେହ ରଜୁରେ ବାନ୍ଧିବେ ଆମ୍ଭଙ୍କୁ
କହି ମିଠା ମିଠା କଥା।
ଅନାବିଳ ତାଙ୍କ ପ୍ରେମର ପରଶେ
ହରିଯିବ ଆମ ବ୍ୟଥା।
ଭଲ ପାଇବାର ଆସନେ ବସାଇ
ପୁଛିବେ ଆମ କୁଶଳ।
ଆମ ଦୁନିଆଁର ନିଜପର ଭାବ
କହିବା ନୁହେଁ ସରଳ।
ନଇଁ ଯିବ ମଥା କହିଲେ ସେ କଥା
ଏ ଦୁନିଆଁ ର ଘଟଣା।
ନିଜ ସ୍ଵାର୍ଥ ପାଇଁ ଗୋଡ ଟଣାଟଣି
ସବୁ ଏଠି ବାଟବଣା।
ବିଦାୟ ବେଳାରେ ଭେଟି ଦେବେ ଆଣି
ସ୍ନେହର ପରଶ ମଣି।
ସେ ମଣି ଛୁଆଁରେ ଆମ ଦୁନିଆଁ ର
ବଦଳି ଯିବ ଚଳଣି।
ତୋର ମୋର ଭାବ ହୋଇଯିବ ଦୂର
ସମସ୍ତଙ୍କ ମୁଖେ ହସ।
ସମସ୍ତଙ୍କ ହୃଦେ ପ୍ରେମର କୁସୁମ
ଫୁଟି ବିତରିବ ବାସ।