ମଧୁଠୁ ମଧୁର ମୋ ଭାଷା
ମଧୁଠୁ ମଧୁର ମୋ ଭାଷା
ମଧୁଠୁ ମଧୁର ଭାରି ଆପଣାର
ମୁଖେ ଭରିଦିଏ ହସ,
ମହକ ମଧୁର ସରି କିଏ ତା"ର
ଲାଗେ ସବୁଠୁ ସରସ,
ମାଆ ମୁଖରୁ ନିସୃତ
ଧରା ଛୁଇଁ ଯା'ର ପରଶ ଲଭିଲି
କୋଳେ ଧରି ଭରେ ହସ ।
ମାଆର ମମତା ସେନେହ ସରାଗ
ଦେହେ ମୋ ହୁଏ ଚନ୍ଦନ,
ମାଆର ଭାଷା ମୁଁ ମାତୃଭାଷା ଭାବେ
ମୋ ପାଇଁ ମଣି କାଞ୍ଚନ,
ପାଖେ ପାଖେ ଥାଇ ଶୁଣେ
ଖଡି ଛୁଇଁ ଯେବେ ମଣ୍ଡୁଳା କରିଲି
ହୋଇଲି ସେଦିନୁ ଧନ୍ୟ ।
ଅ ଆ ଇ ଦୀର୍ଘ ଈ ମଡାଇ
ପଢିଲି ମୁଁ ଅଖ ଆଈ,
ଇଶ ଓ ଈଶ୍ୱର ମଧୁବାବୁଙ୍କର
ବର୍ଣ୍ଣବୋଧ ଥିଲା କହି,
ବାପା ମାଆ ଉଚ୍ଚାରଇ
ମଧୁର ବିନୟ ସ୍ବଭାବେ ଗଢ଼ଣ
ସଭିଙ୍କଠୁ ଶିଖୁଥାଇ ।
ମୋ ମାଟିର ଗାଥା ମହକିତ ବାର୍ତ୍ତା
ଇତିହାସେ ଲେଖା ଅଛି,
ଯୁଗର ସମାପ୍ତି ଯାଏ ରହିଥିବ
କେତେ ସ୍ରଷ୍ଟାଙ୍କର କୀର୍ତ୍ତି,
ବ୍ୟାସ,ମଧୁ, କବିବର
ଅକ୍ଷୁର୍ଣ୍ଣ ରଖିଲେ ଯଶ ରଖିଗଲେ
ସଂଗ୍ରାମେ ବିଜୟୀ ବୀର ।
ଅଦ୍ୟ ଏକୋଇଶ ଫେବୃଆରୀ ମାସ
ଅଟେ ସ୍ବତନ୍ତ୍ର ଦିବସ,
ବିଶ୍ବ ପାଳୁଅଛି ଏ ମାତୃଭାଷାର
ପୂଜନ ହୋଇ ହରସ,
ଦେବଭାଷା ଅଂଶ ବିଶେଷ
ଷଷ୍ଠ ଭାଷାର ମାନ୍ୟତା ଲଭିଲା
ଏ ଆମ ଗୌରବ ଯଶ ।