ମାୟାମୃଗ
ମାୟାମୃଗ
ମାୟା ମୃଗ ପଛେ ଘୋର ବନସ୍ତରେ
ରାମଚନ୍ଦ୍ର ଧାଇଁ ଥିଲେ
କୁଟୀର ଭିତରେ ଜନକ ନନ୍ଦିନୀ
ଜାନକୀ ଅନେଇ ଥିଲେ ।
ସୁନା ଝଲମଲ ସୁନେଲି ରଙ୍ଗରେ
ସୁବର୍ଣ୍ଣ ଜଡିତ ଦେହ
ଦେଖିଣ ବୈଦେହୀ ହୋଇଗଲେ ଖୁସି
ଲାଗିଲା ତା ଠାରେ ମୋହ ।
ରାମଙ୍କୁ କହନ୍ତି ସୁବର୍ଣ୍ଣ ମୃଗକୁ
ଆଣି ଦିଅ ମୋତେ କାନ୍ତ
ପାଳିବି ତାହାକୁ ଏଇ ମୋର ହସ୍ତେ
ଦୁଃଖ ମୋ ହୋଇବ ଅନ୍ତ ।
ବାରମ୍ବାର ରାମ ଲକ୍ଷ୍ୟ ଭେଦ ଚ୍ୟୁତ
ଅସକତ ଦେହ ହେଲା
ସବୁ ପ୍ରଚେଷ୍ଟା ତ ହୋଇଲା ବିଫଳ
ମନେ କ୍ରୋଧ ଉପୁଜିଲା ।
କ୍ଷଣଟିଏ ଆଉ ଡେରି କରିଲେନି
ଶର ଗୋଟି ଦେଲେ ମାରି
ମରିବା ଆଗରୁ ମାରିଚ ଦଇତ
ଲକ୍ଷ୍ମଣଙ୍କ ନାମ ଧରି ।
ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ବୋଲିଣ
ତିନି ଥର ଡାକ ଦେଲା
ରାକ୍ଷାସ ଜନମୁ ପାରି କର ବୋଲି
ରାମଙ୍କୁ କର ଯୋଡିଲା ।
ଦେଖିଣ ଖୁସିରେ ଶ୍ରୀରଘୁ ନନ୍ଦନ
ମାରିଚକୁ ମୁକ୍ତି ଦେଲେ
ରାକ୍ଷାସ ଜନମୁ ରକ୍ଷା କରି ସିଏ
ମାୟା ମୃଗ ବଧ କଲେ ।
ଏଇ ମାୟା ମୃଗ ବିଶ୍ରବା ନନ୍ଦନ
ରାବଣ ପଠେଇ ଥିଲା
ସୀତାଙ୍କୁ ହରଣ କଲେ ତା ମରଣ
ଏଇ କଥା ଜଣା ଥିଲା ।
ଲକ୍ଷ୍ମୀ ନାରାୟଣ ଦ୍ବାରପାଳ ସିଏ
ଜୟ ତାର ନାମ ଥିଲା
ସପ୍ତ ଋଷି ପୁତ୍ର ଅଭିଶାପ ବଳେ
ରାକ୍ଷସ ତନୁ ହୋଇଲା ।
ସେ ଅସୁର ତନୁ ମୁକତି ଆଶାରେ
ମାୟା ମୃଗ ସୃଷ୍ଟି କରି
ରାକ୍ଷସ କବଳୁ ସେ ଜୟ ବିଜୟ
ହୋଇଥିଲେ ତ ଉଦ୍ଧରି ।