ମାଟି
ମାଟି
ପହିଲି ବରଷା ସ୍ପର୍ଶରେ ପୁଲକେ
ମୋ'ଗାଆଁ ସ୍ବର୍ଣ୍ଣିମ ମାଟି
ଶରତ ଋତୁରେ ନୀଳ ଆକାଶରେ
ପକାଇ ଦିଏ ସେ ଝୋଟି
କୁଆଁର ପୁନେଇଁ ଦିଅଁ ପୂଜିବାରେ
ଗାଆଁ ମାଟି କୋଳାହଳ
ବିଶ୍ବାସ ଆମରି ବଳ
ବାରମାସେ ଏଠି ତେର ପରବ ତ
ମାଟିର ମହକ ଗୁଣ ॥
ଶୀତ ସକାଳରେ ମୋ'ଗାଆଁ ମାଟିରେ
ଝରି ପଡେ ମୁକ୍ତା ବିନ୍ଦୁ
କଅଁଳ ଖରାରେ ସୁନା ଦେହ ତାର
ଅପୂର୍ଵ ଆନନ୍ଦ ସିନ୍ଧୁ
ହରି ରାମ ଆଉ ବୁଦ୍ଧୁ
କଅଁଳ ଖରାର ଉଷୁମ ପରଶେ
ଦେହକୁ ଦେଖାଇ ଶେକୁ ॥
ଠାକୁରାଣୀ ପୀଠ ମହନ୍ତଙ୍କ ମଠ
ମଝିରେ ସରସୀ ଜଳ
ଢଳ ଢଳ ହୁଏ ମନ୍ଦ ସମୀରଣେ
କମଳ କଇଁର ମେଳ
ଦାଣ୍ଡର ଗୋଧୂଳି ବାଲି
ଘୁଞ୍ଚଇ ଯାତନା ଥରେ ଗଲେ ଚାଲି
ମାଆର ପଣତ ବୋଲି ॥
କାଶୀ ବାରଣାସୀ ଲୋଡ଼ାନାହିଁ ମୋର
ଏ'ଦେହ ତାହାରି ଦାନ
ଝୁରେ ତାକୁ ନିଶି ଦିନ
ସେଇ ମୋର ମାଆ ସେଇ ମୋର ସାହା
ତା'ପାଇଁ ମୋର ଜନମ ॥
ଏଇ ମାଟିରେ ମୁଁ' ଜନମ ଲଭିଲି
ଏନ୍ତୁଡ଼ି ଥିଲାଟି ଜଳି
ସେଇ ମାଟି ମାଆ ମମତା ବନ୍ଧନେ
ଦେଇଛି ଆୟୁଷ ଢାଳି
ମରଣର ପରେ ଜନମ ଜନମ ପାଇଁ
ସେହି ମାଟି ପରେ ଜନମ ଦିଅହେ ସାଇଁ
ସରଗ ମୋ ଲୋଡ଼ା ନାହିଁ
ମୋ'ଗାଁ ମଶାଣି ମାଟି ହୋଇଯାଉ
ମୋ ପାଇଁ ସରଗ ଭୂଇଁ ॥