ମାନବ ସେବା
ମାନବ ସେବା


ହେ ମଣିଷ ଭାଇ ଶୁଦ୍ଧ ପୂତ ହୋଇ
ମନ୍ଦିରେ କା'ରେ ପୂଜହେ
ଯେ ଇଶ୍ବର ସୃଷ୍ଟି ଉଜ୍ଜ୍ବଳ ଆଲୋକେ
ସେ କି ଅନ୍ଧକାରେ ରହେ?
ସକଳ ଘଟରେ ବିଜେ ନାରାୟଣ
ସୃଷ୍ଟିକର୍ତ୍ତା ପର୍ମେଶ୍ବର
କାଷ୍ଠ ପାଷାଣର ମୂର୍ତ୍ତିରେ ନାହାନ୍ତି
ବିଜେ ରୂପରେ ଆତ୍ମାର||
ପ୍ରତି ମାନବର ଆତ୍ମା ଅଟେ ଜାଣ
ଈଶ୍ବର ଅବିନଶ୍ବର
ସେହି ଆତ୍ମା ଯେବେ ସନ୍ତୁଷ୍ଟ ହୋଇବ
ସନ୍ତୁଷ୍ଟ ହେବେ ଈଶ୍ବର||
ଦୀନ ଦୁଃଖୀ ଜନ ଯେତେକ ନିରନ୍ନ
ମାନବ ମୁଖରେ ଅନ୍ନ
ଦେଇଦେଲେ ତୁମେ ସନ୍ତୁଷ୍ଟ ହୋଇବେ
ଆତ୍ମାରୂପି ଭଗବାନ||
ମାନବ ଜୀବନ ମପାଯାଏ ନାହିଁ
ବର୍ଷ ମାସ ଦିନ ଦଣ୍ଡେ
ସତ୍ କର୍ମମାନ କରିଯିବ ଯେବେ
ତୁମ ନାମ ସର୍ବ ତୁଣ୍ଡେ||
ନା ନା ପରକାର ସୁସ୍ବାଦୁ ବ୍ୟଞ୍ଜନ
ନିର୍ଜୀବ ମୂର୍ତ୍ତିକୁ ଦେଇ
ପାଇ ପାରିବନି ବିଭୁ ଆଶୀର୍ବାଦ
ସେ ତ ତାକୁ ଛୂଏଁ ନାହିଁ||
ଯେତେଛନ୍ତି ରୋଗୀ ଦୁଖୀ ରଙ୍କୀ ଜନ
ତାଙ୍କ ଦେହରେ ମାଧବ
ସେ ମାନବସେବା କର ଯେବେ ତୁମେ
ସନ୍ତୁଷ୍ଟ ହେବେ ମାଧବ||
ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ଭେଦ ଭାବ
ହୃଦୟେ ରଖିବ ନାହିଁ
ସଭିଏଁ ମାନବ ରୂପରେ ମାଧବ
କା'ରେ ଘୃଣା କରନାହିଁ||
ମାନବ ସେବାହିଁ ମାଧବଙ୍କ ସେବା
ଏହି କଥା ଜାଣିଥିବ
ଅସ୍ପୃଶ୍ୟତା ମନୁ ହଟାଇ ଦେଇଣ
ମାନବ ସେବା କରିବ||
ମାନବ ମାଧବ କଲେ ଆଶୀର୍ବାଦ
ବୈକୁଣ୍ଠେ ସ୍ଥାନ ପାଇବ
ମାନବ ଜୀବନ ସାର୍ଥକ ହୋଇବ
ମରି ବି ଅମର ହୋଇବ||