ମାଗୁଅଛି ଏହି ଭିକ୍ଷା
ମାଗୁଅଛି ଏହି ଭିକ୍ଷା
କହରେ କାଳିଆ କାହିଁକି ନିଷ୍ଠୁର
ହେଲୁ ଦେଶବାସୀ ପାଇଁ
ଭୟରେ ଜନତା ଘରେ ରହିଛନ୍ତି
ବାହାରକୁ ସ୍ଥାନ ନାହିଁ ।୧।
ଯୁବକ ଯୁବତୀ ବୃଦ୍ଧ ଆଉ ଵୃଦ୍ଧା
କେହି ତ ପାଉନି ରକ୍ଷା
ପିଲା ଛୁଆଙ୍କର ଜୀବନ ବଞ୍ଚାଅ
ମାଗୁଅଛି ଏହି ଭିକ୍ଷା ।୨।
ନ ରହିଲା ନାହିଁ ମୂଳରେ କାଳିଆ
ଡାଳକୁ ବଞ୍ଚାଇ ରଖ
ସେହି ଡାଳଦିନେ ମୂଳେ ପରିଣତ
ହୋଇଣ ଲଭିବ ସୁଖ ।୩।
ବିଚାର ପାଇଁ କି ଆସନେ ବସିଛୁ
ବିଚାରପତି ହୋଇଣ
କାହିଁ ଗଲା ତୋର ବିଚାର କ୍ଷମତା
ହେଉଅଛୁ ହଇରାଣ ।୪।
କରନାହିଁ ଆଉ ହଇରାଣ ପ୍ରଭୁ
ଅସମ୍ଭାଳ ହୁଏ ଦୁଃଖ
ଏସମୟେ ପ୍ରଭୁ ନହୋଇ ମଉନ
ଜନତାଙ୍କୁ ଦିଅ ସୁଖ ।୫।
ଗୋଟିଏ ଚୁଟକି ମାରିଦିଅ ପ୍ରଭୁ
ମହାମାରୀ ହେବ ଦୂର
କରନାହିଁ ଡେରି ଆସ ଅବତରି
ଏଦେଶ ହେବ ଉଦ୍ଧାର ।୬।
କେତେ ବିପଦରୁ ଏଦେଶ ବାସୀଙ୍କୁ
କରିଛ ପ୍ରଭୁ ଉଦ୍ଧାର
ମହାମାରୀ ବେଳେ କବାଟ କିଳିଣ
କାହିଁକି ରହିଛ ଘର। ।୭।
କରୁଛି ପ୍ରାର୍ଥନା ପ୍ରଭୁ ଚକାଡୋଳା
କରନାହିଁ ଅବିଚାର
ସହିଲାଣି ଦେଶ ବହୁ କଷ୍ଟଭାର
ବିପଦୁ ଏବେ ଉଦ୍ଧାର ।