ମାଆ
ମାଆ
ସୃଷ୍ଟି ପରେ ସ୍ଥିତି, ସ୍ଥିତିର ବ୍ୟୁତ୍ପତି ତୋ ଆଶିଷେ ଏହି କାୟା
ରକ୍ତ ମାଂସ ମଜ୍ଜା ତୋ ଦେହୁ ସମ୍ଭୂତ ହୃଦୟେ ତୋହରି ମାୟା।
ଦଶ ମାସ ତୋର ଗର୍ଭ ମଧ୍ୟେ ବୃଦ୍ଧି ଧରାରେ ଆଶିଷ ନେଇ
ମାତୃ ସ୍ତନ ପାନ ଅମୃତ ଭୋଜନ କେବଳ ତୋଠାରୁ ପାଇଁ।
ସେନହ ସରଧା ସବୁ ଅଜାଚିତ ତାହାର କଳନା ନାହିଁ
ସନ୍ତାନର ସୁଖ ପାଇଁ କେତେ ଓଷା ବ୍ରତ ନ କରିଛୁ ତୁହି।
ଜହ୍ନ ଦେଖାଇ ତୁ ଭାତ ଖୁଆଇଛୁ ଶୁଆଇଛୁ ଗୀତ ଗାଇ
ନାନା ବାୟା ଗୀତେ ଅମୃତ ଭରିଛୁ କେମିତି ଭୁଲିବି ମୁହିଁ।
ରୋଗ ବଇରାଗେ ରାତି ରାତି ଜଗି ସେବା ତୁ କରିଛୁ ମୋର
ଶିକ୍ଷା ଦୀକ୍ଷା ଆଉ ସାହସ ସଂସ୍କୃତି ହୃଦରେ ଭରିଛୁ ମୋର।
ତୋ ପଣତ କାନି ଘୋଡାଇ ରଖିଛୁ ସେନେହ ସରାଗ ଦେଇ
ମାଆ ଯେତେ ବଡ ହେଲେ ମଧ୍ୟ ମୁହିଁ ଲୋଡେ ତୋ ଚରଣ ଛାଇ।
ତୋହରି ସେନେହ ପ୍ରକୃତିର ସମ ସର୍ତ୍ତହୀନ ନିର୍ଭେଜାଲ
ଦୁନିଆରେ କେହି ହୋଇ ପାରିବନି ମାଆଟିର ସମତୁଲ।