ମାଆ ମହାଲକ୍ଷ୍ମୀ ,ଚାଷ ଓ ଚାଷୀ
ମାଆ ମହାଲକ୍ଷ୍ମୀ ,ଚାଷ ଓ ଚାଷୀ
ବନ୍ଦଇ ମା ମହା ଲକ୍ଷ୍ମୀ ପାଦ କମଳ
ଚନ୍ଦନ ଚନ୍ଦନ ବାସେ ଶୁଭ ସକାଳ
ସବୁ ଗୁରୁବାର ମାଆ ତୁମରି ଦିନ
ମାର୍ଗଶିର ମାସ ସେତ ମାସ ମହାନ
ଯତନେ ପାରିଛି ଝୋଟି
ସଜେଇଛି ଧାନ ବେଣ୍ଟି
ନୂଆ ମାଣ ନୂଆ ଧାନ ନୂଆ ଚାଉଳ
ବନ୍ଦଇ ମା ମହା ଲକ୍ଷ୍ମୀ ପାଦ କମଳ
ତୁମରି ପୁରାଣ ଭରେ ପରାଣେ ଖୁସି
ତୁମ ନାଁ ଜପେ ମାଆ ନୀରବେ ବସି
ତୁମ ଲାଗି ହସେ ମୋର ସୁନା ସଂସାର
ତୁମ ଲାଗି ଚଉଦିଗ ଲାଗେ ସୁନ୍ଦର
ତୁମେ ମୋର ଗତି ମୁକ୍ତି
ତୁମେ ଦୟା କ୍ଷମା ଶାନ୍ତି
ତୁମ ଲାଗି ଭରା ମୋର ମାଟି ମଟାଳ
ଚନ୍ଦନ ଚନ୍ଦନ ବାସେ ଶୁଭ ସକାଳ
ଭାବର ଦୁନିଆ ମାଆ ଭକତି ଡୋରି
ଅଭାବ କଷଣୁ ମାଆ କରିଛ ପାରି
ଅମା ରାତି ମାଆ ମୋର ଯାଇଛି ପାହି
ବୁହାଇ ଦେଇଛ ତୁମେ କରୁଣା ନଈ
ସ୍ନେହମୟୀ ଦୟାମୟୀ
ମାଆ ଗୋ ମମତାମୟୀ
ତୁମ ଆଶିଷରେ ହସେ ମନ ଦେଉଳ
ଚନ୍ଦନ ଚନ୍ଦନ ବାସେ ଶୁଭ ସକାଳ
ଜ୍ଞାନ ରୂପେ ମାଆ ତୁମେ ଅବତରିଣ
ଚାଷୀ ଆଉ ଚାଷକୁ ମା କରିଛ ଧନ୍ୟ
କାଲିଥିଲା ଭଙ୍ଗା ପଲ୍ଲା କୁଡିଆ ମୋର
ତୁମ ଆଶିଷରେ ଆଜି ଉଆସ ଘର
ତୁମେ ମାଆ ହୋଇ ସାହା
>
ଦେଖାଉଛ ନୂଆ ରାହା
କ୍ଷେତରୁ ହୁଏ ମୋ ଆଜି ସୁନା ଅମଳ
ବନ୍ଦଇ ମା ମହା ଲକ୍ଷ୍ମୀ ପାଦ କମଳ
କାଲି ଯିଏ ଟେକୁଥିଲେ ଚାଷକୁ ନାକ
ଚାଷ ଯୋଗୁ ବଦଳିଛି ତାଙ୍କରି ଭେକ
କ୍ଷେତରୁ ହେଉଛି ମାଆ ଧନ ବରଷା
ଧନ ଲକ୍ଷ୍ମୀ ରୂପେ ମାଆ ସୁଖ ପରସା
ଶିକ୍ଷିତ କଲେଣି ଚାଷ
ଓଠେ ଭରା ସଦା ହସ
ସବୁତ ତୁମରି ଦୟା ପଡ଼େ ଚହଳ
ବନ୍ଦଇ ମା ମହା ଲକ୍ଷ୍ମୀ ପାଦ କମଳ..
ଲୋକମାତା ଲୋକହିତା ଲୋକ ଜନନୀ
ଭୃଗୁ ସୂତା ଆଦି ମାତା ସିନ୍ଧୁ ନନ୍ଦିନୀ
ଅନ୍ନପୂର୍ଣ୍ଣା ଅନ୍ନଦାତ୍ରୀ ସୁବର୍ଣ୍ଣ ବର୍ଣ୍ଣା
ପଦ୍ମାଳୟା ପଦ୍ମ ପ୍ରିୟା ଅପର୍ଣ୍ଣା ଅର୍ଣ୍ଣା
ମହାଲକ୍ଷ୍ମୀ ଜୟଲକ୍ଷ୍ମୀ
ଜ୍ଞାନ ଲକ୍ଷ୍ମୀ ଧ୍ୟାନ ଲକ୍ଷ୍ମୀ
ଭକ୍ତ ବତ୍ସଳା ଚଞ୍ଚଳା ଚିର ଚଞ୍ଚଳ
ବନ୍ଦଇ ମା ମହା ଲକ୍ଷ୍ମୀ ପାଦ କମଳ..
କମଳା କମଳାସନୀ ଶ୍ରୀହରିପ୍ରିୟା
ପାଦରେ କୋଟି ପ୍ରଣାମ ମାଆ ଲୋ ମାଆ
ତୁମ ପାଦେ ମାଆ ମୋର ଏଇ ମିନତି
ଚାଷୀକୁ ଦାଉ ନସାଧୁ ଆଉ ପ୍ରକୃତି
ବଢ଼ି ମରୁଡ଼ି ର କୋପ
ଚାଷୀ ପାଇଁ ଅଭିଶାପ
ପ୍ରକୃତିର ତାଣ୍ଡବକୁ କର ଦୃବଳ
ବନ୍ଦଇ ମା ମହା ଲକ୍ଷ୍ମୀ ପାଦ କମଳ ।