ମାଆ ଭଟ୍ଟାରିକା
ମାଆ ଭଟ୍ଟାରିକା


ମାଆ ଭଟ୍ଟାରିକା ଦେବୀ ଗୋ ମାଗୋ ମଙ୍ଗଳମୟୀ
ଅସୀମ ମହିମାମୟୀ ଗୋ ମାଆ କରୁଣାମୟୀ।
ବୃହଦମ୍ବା ଗଡ଼ ଚଣ୍ଡୀ ଗୋ ଭକ୍ତ ବତ୍ସଳା ମାଆ
ବେଳ ଅବେଳରେ ଭକ୍ତଙ୍କୁ ତୁମେ ହୁଅଗୋ ସାହା।
ମହାନଦୀ କୂଳେ ରହିଛି ରତ୍ନଗିରି ପର୍ବତ
ବଣ ଜଙ୍ଗଲରେ ଭରାସେ ସୁଷମା ରେ ଶୋଭିତ।
ପର୍ବତର ପାଦଦେଶରେ ମାଆଙ୍କର ମନ୍ଦିର
ଛୋଟସିନା ସେହି ଦେଉଳ ଦିଶେ ଭାରି ସୁନ୍ଦର।
ଅଛି କଥା ଗାଥା କାହାଣୀ ପୁଣି କିମ୍ବଦନ୍ତୀ ତ
ତ୍ରେତୟା ଯୁଗରୁ ମାଆଯେ ହେଉଛନ୍ତି ପୂଜିତ ।
ପର୍ଶୁରାମ କରିଥିଲେ ତ ଦେବୀ ମୂର୍ତ୍ତୀ ପ୍ରତିଷ୍ଠା
କରୁଥିଲେ ପୂଜା ଅର୍ଚ୍ଚନା ଭରି ଭକତି ନିଷ୍ଠା।
ବୃହଦମ୍ବା ଗଡ଼ ବଡମ୍ବା ନାମେ ରାଇଜେ କ୍ଷାତ
ବଡ଼ମ୍ବା ଶସାଙ୍ଗ ଗ୍ରାମରେ ଭଟ୍ଟାରିକା ଙ୍କ ପୀଠ ।
ମହାନଦୀ ଯହିଁ କରିଛି ତାର କାୟା ବିସ୍ତାର
ବର୍ଷା ଋତୁରେ ତ ଦିଶଇ ରୂପ ତା ଭୟଙ୍କର।
ପର୍ଶୁରାମ ସେହି ପୀଠରେ କରୁଥିଲେ ଯେ ଧ୍ଯାନ
ନିଶାର୍ଦ୍ଧରେ ସେତ ଦେବୀଙ୍କୁ ଦେଖିଲେ ତ ସପନ ।
ସ୍ବପ୍ନ ରେ ସେ ଯେଉଁ ଦେବୀଙ୍କ ରୂପ ଦେଖିତ ଥିଲେ
ଶର ମୁନେ ସେହି ଦେବୀଙ୍କୁ ଶିଳା ପରେ ଆଙ୍କିଲେ ।
ଅଷ୍ଟ ଦେବୀଙ୍କର ମେଳରେ ମାଆ ଅଛନ୍ତି ରହି
ଶ୍ରୀ ଚକ୍ର ଉପରେ ମାଆ ଯେ ବସି ଅଛନ୍ତି ତହିଁ।
ଚକ୍ରପରେ ଯେଣୁ ଆସିନ ଚକ୍ରେଶ୍ବରୀ ଭାବରେ
ମାଆଙ୍କର କ୍ଷାତି ରହିଛି ଭକ୍ତ ହୃଦ କନ୍ଦରେ।
ମାଆଙ୍କର ଅଷ୍ଟ ଶଖି ସେ ଅଷ୍ଟ ରୂପରେ ଛନ୍ତି
ପାଞ୍ଚ ଜଣ ପଦ୍ମାସନରେ ତହିଁ ବସି ଅଛନ୍ତି।
ଲଳିତ ମୁଦ୍ରାରେ ଆସିନ ତିନି ଦେବୀ ମୂରତୀ
ଭିନ୍ନ ଭିନ୍ନ ନାମେ ଦେବୀ ଯେ ତହିଁ ବିରାଜିଛନ୍ତି।
ଉଗ୍ରା,ଉଗ୍ରପ୍ରଭା, ପ୍ରଚଣ୍ଡା ଦେବୀ ଦୁର୍ଗା ଶକଟା,
ମାଆ ମହାଲକ୍ଷ୍ମୀ ପୁଣି ଯେ ଦେବୀ ଚଣ୍ଡା ବିକଟା ।
ଗୋଟିଏ ଶିଳାରେ ଅଙ୍କିତ ସେହି ନଅ ମୂରତୀ
ରାଜରାଜଶ୍ବରୀ ଭାବରେ ଦେବୀ ପୂଜା ପାଆନ୍ତି।
ବଡ଼ମ୍ବା ର ରାଜା ଗଢିଲେ ମାଆଙ୍କର ଦେଉଳ
ପଶ୍ଚିମ ମୁଖା ସେ ଦେଉଳ ନିତି ହୁଏ ଗହଳ।
ପ୍ରତ୍ୟୁଷରୁ ଖୋଲେ ପହଡ଼ ହୁଏ ପୂଜା ଅର୍ଚ୍ଚନା
ମହାନଦୀ ଶୁଅ ଗାଏରେ ମାଆଙ୍କର ବନ୍ଦନା।
କୈବର୍ତ୍ତ ମାନେ ତ ମାଆଙ୍କୁ ନିତି ପୂଜା କରନ୍ତି
ମାଆଙ୍କର ନାଆଁ ଗାଇତ ସେତ ନାଆ ମେଲନ୍ତି।
କାହିଁ କେତେ ଦୂରୁ ନିଇତି ଭକ୍ତ ମାନେ ଆସନ୍ତି
ଦୀପଟିଏ ଜାଳି ମାଆଙ୍କ କୃପା ଭିକ୍ଷା କରନ୍ତି।
ମଧ୍ୟାହ୍ନରେ ପଡେ ପହଡ଼ ପୁଣି ସଞ୍ଜେ ଖୋଲଇ
ସନ୍ଧ୍ୟା ଧୂପ ଦୀପ ଆଳତି ମନ ମୋହି ନିଅଇ।
ମାଆଙ୍କ ପାଖରେ ନିଇତି ମାଛ ଲାଗଇ ଭୋଗ
ଭାରି ସୁଆଦିଆ ପ୍ରସାଦ ମିଳେ ଥିଲେରେ ଯୋଗ।
ମାଆ ଭଟ୍ଟାରିକା ଦୁର୍ଗାଙ୍କ ଯେଣୁ ସ୍ବରୂପ ସେତ
ଦଶହରା ବଡ ଉତ୍ସବ ଉଛୁଳଇ ଏ ପୀଠ ।
ମୂଳା ଅଷ୍ଟମୀ ରୁ ଆରମ୍ଭି ମହା ଅଷ୍ଟମୀଯାଏ
ଷୋଳପଚାରରେ ମାଆଙ୍କ ପୂଜା ଅର୍ଚ୍ଚନା ହୁଏ।
ମହାଷ୍ଟମୀ ଭଟ୍ଟାରିକା ଙ୍କ ପୂଣ୍ୟ ଜନମ ଦିନ
ଗ୍ରାମ ପରିକ୍ରମା କରନ୍ତି ମାଆ ବସି ବିମାନ।
ପ୍ରବଳ ଭକତ ଗହଳି ହୋମ ଯଜ୍ଞ ହୁଅଇ
ଜୟ ଭଟ୍ଟାରିକା ମାଆ ଲୋ ଭକ୍ତେ ଗାଆନ୍ତି ତହିଁ।
ଜୟ ମାଆ ଭଟ୍ଟାରିକାଲୋ ଜୟ ରକ୍ଷା କାରିଣୀ
ଜୟ ମା ମହିମାମୟୀ ଗୋ ମା ଅଭୟ ଦାୟିନୀ।
କୃପା ନେତ୍ରେ ଚାହିଁ ଥିବ ଗୋ ପାଦେ ଶତ ପ୍ରଣତି
ଦୋଶାଦୋଷ କ୍ଷମା କରିବ ପାଦେ କରୁ ମିନତି ।