ମା
ମା


ଗୋଟିଏ ଅକ୍ଷରେ ଗଢ଼ା ଶବ୍ଦ ଟିଏ
ନାଆଁଟି ତାହାର ମାଆ,
ବ୍ରହ୍ମାଣ୍ଡରେ ନାହିଁ କେହି ତାର ସରି
ଦେବାକୁ କରୁଣା ଦୟା l
ଏକଇ ଅକ୍ଷର ଏକଇ ଶବଦ
ସଂସାରୀ ଏହାକୁ ଭେଦ,
ଏହି ଶବଦରୁ ସୃଷ୍ଟି ହୋଇଅଛି
ପୂଣ୍ୟ ଓମକାର ନାଦ l
ଏହି ଶବଦକୁ ଯଦି ବୁଝିଗଲେ
ହୋଇବୁ ଜଗତ ଜିତା,
ବୁଝି ନପାରିଲେ ହେବୁ ବାଟ ବଣା
ଜଗତ ଲାଗିବ ପିତା l
ମାଆର ଗରଭ ସରଗ ସୁନ୍ଦର
ସୃଷ୍ଟି ହୁଅଇ ଆମର,
ଅସରନ୍ତି ତାର ସ୍ନେହ ଓ ମମତା
ଯେହ୍ନେ ଚିର ଝର ନୀର l
ମାଆର ହୃଦୟ ଅତ୍ୟନ୍ତ ବିଶାଳ
ସାଗର ଠାରୁ ଗଭୀର,
ମାଆର ମମତା ସ୍ବର୍ଗୀୟ ଉଦ୍ୟାନ
ଅମୃତ ତାହାର କ୍ଷୀର l
ମାଆର କୋଳଟି ଅତି ସୁକୋମଳ
ଲାଗେ ବଇକୁଣ୍ଠ ପୁର,
ସାର୍ଥକ ହୋଇବ ଜୀବନ ଆମର
ମିଳିଲେ ଆଶିଷ ତାର l
ମାଆର କଥାରେ ପେଟ ପୂରିଯାଏ
ହରିନିଏ ସବୁ ଦୁଃଖ,
ମାଆର ସେବାରେ ବଇକୁଣ୍ଠ ମିଳେ
କଟିଯାଇ କୋଟି ପାପ l
ହସରେ ତାହାର ମୁକୁତା ଝରଇ
ଭାବନା ତାର ମଧୁର,
ସନ୍ତାନକୁ ସଦା ରକ୍ଷା କରିଥାଏ
ସହି ସବୁ ଅତ୍ୟାଚାର l
ଘନ ଅନ୍ଧକାରେ ଉଜ୍ଜଳ ଦୀପକ
ଖରାରେ ଶୀତଳ ଛାଇ,
ଜୀବନ ଯୁଦ୍ଧରେ ଠିଆ ହୁଏ ମାଆ
ସୁରକ୍ଷା କବଚ ହୋଇ l
ପକ୍ଷୀ ଉଡ଼େ ଯେହ୍ନେ ଅନନ୍ତ ଆକାଶେ
ମାଆର ପ୍ରୟାସ ବଳେ,
ଜୀବନ ଆମର ସଫଳ ହୋଇବ
ମାଆ ଆଶୀର୍ବାଦ କଲେ l
ଅଧିର ହୁଅଇ ମାଆର ହୃଦୟ
ସନ୍ତାନ ସଙ୍କଟେ ଥିଲେ,
ପୁଲକିତ ହୋଇ ଉଠେ ମାଆ ମନ
ସନ୍ତାନ ଯଶ ଲଭିଲେ l
ପ୍ରଥମ ଗୁରୁଯେ ଅଟେ ଏହି ମାଆ
ଧରିଥିଲା ଗର୍ଭେ ଯିଏ,
ବିପଦ ବେଳାରେ ମାର୍ଗ ପ୍ରଦର୍ଶନ
କରିଥାଏ ପରା ସିଏ l
ଅନନ୍ତ ଅଟଇ ମାଆର ହୃଦୟ
ଅନନ୍ତ ତାର ମମତା,
ଅନନ୍ତ ଅଟଇ ତାହାର କରୁଣା
ଅନନ୍ତ ତାହାର ସତ୍ତା l
ମାଆର ମହିମା କହି ନପାରଇ
ଏହି ତୁଣ୍ଡେ ମହାବାହୁ,
ମାତୃ ଋଣ କେବେ ଶୁଝି ନପାରିବି
ଏହି ଜୀବନରେ ଆଉ l
ମାଆକୁ ସମ୍ମାନ କରେ ଯେଉଁ ଜନ
ପୁଜେ ତାକୁ ହୃଦୟରେ,
ପ୍ରାଚୀନ ପୁରୁଷ ଆଶିଷ କରନ୍ତି
ପରମାନନ୍ଦ ମନରେ l
ମାଗୁଛି ଆଶିଷ ଆହେ ଜଗଦୀଶ
କୃପା କର ମୋହ ଠାରେ,
ଚିର କାଳ ଲାଗି ସେବା କରୁଥିବି
ମମତାମୟୀ ପୟରେ l