ଲୁହ ନଈ
ଲୁହ ନଈ


ଅଗନା ଅଗନି ବନସ୍ତକୁ ଡେଇଁ
ଯାଉଛି ଝରଣା ଡେଇଁ ଡେଇଁ ,
ଲୋକେ ତ କହନ୍ତି ବରଷା କାନ୍ଦୁଚି
ବହି ଯାଏ ଲୁହ ନଈ ହେଇ ।
ଲୁହ ନଈ ଯେବେ ସାଗରେ ମିଶିଲା
ସାଗର ପାଣି ହେଲା ଲୁଣିଆ ,
ପଚାରିଲେ କହେ ଧୋକାବାଜ୍ ସୁଖ
ଦୁଃଖ ତ ବାରମାସୀ କୁଣିଆଁ ।
ଏକା କାନ୍ଦୁ ନାହିଁ କାନ୍ଦନ୍ତି ଅନେକେ
ସମଦୁଃଖି ସରବେ ମିଶଇ ,
ଛୋଟ ଛୋଟ ଦୁଃଖ ମିଶି ହେଲେ ଏକ
ବହି ଗଲେ ହେଇ ଲୁହ ନଈ ।
ଗେଲବସର ର ଦିନ ସରି ଗଲେ
ଗେଲ ଝରି ଯାଏ ଲୁହ ହେଇ ,
ବାପା ଭାଇଙ୍କର ବୁଝୁନି ଅନ୍ତର
ସୁଖ ଆସିବକି ଦୁଃଖ ନେଇ ?
ଗୋପନ ସପନ ଗୋପ ପୁରେ ଥୋଇ
ଚାଲି ଯାଏ କାହ୍ନୁ ଧୋକା ଦେଇ ,
ବିରହୀ ରାଧିକା କାନ୍ଦେ ଏକା ଏକା
ନୀରବରେ ଝରେ ଲୁହ ନଈ ।
ଲିଭିନି ଅଳତା ଭାଙ୍ଗି ଗଲା ଶଙ୍ଖା
ପୋଛିଲେ ସିନ୍ଦୂର ମଥା ନଇଁ ,
କଅଁଳ ଛାତିର ବହଳ କୋହ ତ
ବହେ ଧାର ଧାର ଲୁହ ହେଇ ।
ଭେଣ୍ଡିଆ ପୁଅଟା ମାଆ କୋଳ ଛାଡ଼ି
ବାଟ ଭାଙ୍ଗି ଗଲେ ଯମ ପୁର ,
ମମତା ବୁଝେନି ଜୀବନର ଖେଳ
ଝରି ଯାଏ ଲୁହ ଝରଝର ।
ଭଲ କରି ପୁଅ ଚିହ୍ନିନି ଦୁନିଆଁ
ଦୁନିଆଁ ଛଡ଼େଇ ନେଲା ତା ମା' ,
ସୁଖ ଝୁଲଣାରେ ଝୁଲାଉଛି ବାପ
ତଥାପି ବୁଝୁନି ଲୁହ ଜମା ।
ଏମିତି ଅନେକ ଛୋଟ ଛୋଟ ଲୁହ
ମିଶି ହୁଏ ବଡ଼ ଲୁହ ନଈ ,
ଆନନ୍ଦର ଲୁହ ମରୁ ନଈ ପରି
ଦୁଃଖର ସାଗର ରେ ଛୁଏଁ ନାହିଁ ।