ଲୋଡ଼ା ଗୋଟେ ନୂଆ ଦୁଃଖ
ଲୋଡ଼ା ଗୋଟେ ନୂଆ ଦୁଃଖ
ତୁ ନଥାଇ ବି ଅଛୁ ବୋଲି ମୁଁ ଅଛି
ହସୁଛି, କାନ୍ଦୁଛି….
ଜହ୍ଲାଦକୁ ଭଣ୍ଡେଇ ନିଜ ରକ୍ତରେ ନିଜେ ହିଁ ଖେଳୁଛି,
ତୋ ନିରବତାର ଅର୍ଥ ବୁଝିଯିବା ପରେ
ଫଟା କାନ୍ଥର ଗଛ ପରି ସବୁଜିମାର ସ୍ବପ୍ନ ବାଣ୍ଟୁଛି
କାଲି ନୁହେଁ…
ବାସ୍ ...କେବଳ ଆଜି ପାଇଁ ଜୀବନ ଜିଉଁଛି ।
ତୁମେ ସେମିତି ଜହ୍ନଁ ହୋଇ ଝୁଲୁଥାଅ ଆକାଶ ଛାତିରେ
ତମ କଳଂକ ତିଳକ ହୋଇ ଲାଗୁଥାଉ
ମୋ ଦି'ଆଖି ମଝିରେ...
ହେଉ ପଛେ ମିଛରେ,
ତମେ ମୋର ନହୋଇ ବି ଥାଅ ମୋ ମନରେ
ବାସ୍ ନିଜ ପାଇଁ ମୁଁ ଖୁସି ଖୋଜିନେବି ସ୍ୱପ୍ନରେ ସ୍ୱପ୍ନରେ ।
ଲୋଡ଼ା ଗୋଟେ ନୂଆ ଦୁଃଖ
ଆଜି ରାତି ପାଇଁ
ଯେମିତି ନିଝୁମ୍ ରାତିରେ କାନ୍ଦିପାରିବି ଗୁମୁରି ଗୁମୁରି
ଶୁଖିଯିବ ତଣ୍ଟି ଧକ୍କେଇ ଧକ୍କେଇ,
ଦେଇ ପାରିବ ସେମିତି ଗୋଟେ ଦୁଃଖ.....
ଦିଅ.....
ବାସ୍ ଆଜି ମୋ ଆଖିକୁ ଲୋଡ଼ା ଟିକେ ଓଦାପଣ l
ଖୁବ ସହଜ ନା ପ୍ରେମରେ ପଡ଼ିବା
ଏଇ ଅଛି ଏଇ ନାଇଁର ଖେଳ ଭିତରେ
କାହା ଛାତି ତଳେ ନିଜ ଠିକଣା ଖୋଜିବା
ହଁ ..ପ୍ରେମରେ ବୁଡିଗଲି ବୋଲି ତ'
ସବୁ ବାଟ ବଣା..ପ୍ରେମ ..ପ୍ରତାରଣା..
ବାସ୍ ଏବେ ମତେ ନିଜକୁ ଅଜଣା
ନିଜ ହୃଦୟ ଠିକଣା । ।
-----------
ପ୍ରକାଶ ରଂଜନ ପରିଡ଼ା
'ନିଶିପ୍ରଦୀପ', କଏଳପାଳ, ବାତୋ, କେନ୍ଦୁଝର-୪୩
ମୋବାଇଲ- ୮୬୮୮୯୦୧୨୨୬
e Mail- litp.ranjan@gmail.com