ଲଗାଣ ଏ ବର୍ଷା
ଲଗାଣ ଏ ବର୍ଷା
ସତରେ ଭାରି ମନୁଆ ଏ ବର୍ଷା
କେବେ ସଜ ସଜ ଶ୍ରାବଣର ଦେହକୁ ଭିଜେଇ
ଢାଳିଦିଏ ତା ଦୀର୍ଘ ପ୍ରତୀକ୍ଷାର ଭାବପ୍ରବଣତା
ସାଇତି ଥିଲା ଯା କେଇ ଦିନ ଧରି
ପ୍ରଣୟାଭିଳାଷି ତାର ଶୂନ୍ୟ ସିନ୍ଧୁକରେ,
କେବେ କେବେ ମନ ପୁରିଗଲେ
ଛକାପଞ୍ଚା ଖୁବ୍ ଖେଳେ ମନ ମାନ ଭରି ଯିବା ଯାଏଁ
ଲୁଚି ବସି ମେଘ ଉହାଡରେ।
ଦ୍ରବିଭୂତ ହୁଏ ଯେତେ
ବିଗତ ଦିନର ଅଭିମାନ ରାଗରୁଷା ସବୁ
ଭାବନାର ଲଗାଣ ବର୍ଷା ଖୁବ୍ ହୁଏ
କେନ୍ଦ୍ରୀଭୂତ ହୁଏ ଯେବେ ଲଘୁଚାପଟିଏ
ହୃଦୟ ଜଳଧିର ଅନତି ଦୂରରେ।
ଅଗଣିତ ଜୀବନର କାଗଜ ଡଙ୍ଗା
ଟଳମଳ ହୁଏ
ଏ ଲଗାଣ ବର୍ଷାର ଖିଆଲି ନିଶାରେ,
କେବେ ନିଆଁ ଲାଗେ ଓଦା ସରସର
ତତଲା ଛାତିରେ ଜଳେ ବାଧ୍ୟ ହୋଇ
କେବେ ଅଧା ବାଟେ ବୁଡ଼ି ମରେ ମନ
ପ୍ରେମ ଯେବେ ଅସମ୍ଭାଳ ହୁଏ
ବନ୍ଦୀ କରି ପ୍ରିୟକୁ ତା ପ୍ରଗାଢ଼ ପ୍ରୀତିରେ।
ଏ ଲଗାଣ ବର୍ଷା ପରି କବିତା ବି ଖୁବ୍ ବର୍ଷେ
କାଗଜକୁ, ହୃଦୟକୁ ବୁଦ୍ଧି ବିବେକକୁ
ଉବୁଟୁବୁ ହେବା ଯାଏଁ ଭିଜେଇ ମଜେଇ
ସୁଖ ଦୁଃଖ ଯନ୍ତ୍ରଣା ଓ ପ୍ରେମ ବିରହରେ,
ଶବ୍ଦର କାଚ ଝରକା ଦେଇ
ନିଗିଡ଼ି ଯାଏ ସବୁ ଭାବ ଓ ଭାବନାର
ବୁନ୍ଦା ବୁନ୍ଦା ଶୀତ ଜଳରାଶି
ଆଉ କଲମ ସ୍ୱର ଲଗାଏ ତା ନିର୍ଜୀବ କଣ୍ଠରେ
କବି ତାର ଲେଖିବସେ ଶ୍ରାବଣୀ କବିତା
ବସି ରହି ଖରକାର ଭିତର ପାଖରେ।