ଲେଖନୀ
ଲେଖନୀ
ଲେଖନୀ !!
ସୃଷ୍ଟିରେ ତୁମର ବିବିଧତା ଭରା
ସମତା ନାହିଁ ତ ତିଳେ
ତଥାପି ତୁମର ରଚନା ପଢିଲେ
ସମାଜସଂସ୍କାର ମିଳେ ,
ତୁମରି ନିର୍ଝର ନୀର
ଆଶା ଭରିଦିଏ ହତାଶ ଜୀବନେ
ଲଂଘି ଶିଖରୀ ଶିର ।
ଗଡ଼ ଜିତି ତହିଁ ରାଜୁତି କରିବା
ସମ୍ଭବ ଚଳାଇ ଅସି
କୋଟି ଜନମନ ଜିଣିବା ଜାଣିଛ
ଗର୍ଭେ ଭରି ସିନା ମସି ,
ହେଉ ପଛେ ଯେଉଁ ଭାଷା
ଜାତି ଧର୍ମ ଡେଇଁ ସୀମାନ୍ତ ସେପାରି
ଜଗାଇଛ ନବଆଶା ।
ଆଦିମ ଯୁଗରୁ ଚିର ଉଦାସୀନ
ବିଦଗ୍ଧ ଭାଷାର ଛବି
ଆଙ୍କି ଦେଇଗଲେ ହୃଦୟ ଫିଟାଇ
କେତେ ଯେ ଗାଳ୍ପିକ କବି ,
ଜଗତ ଯାତନା ଲଭି
ପରଷି ଦିଅନ୍ତି କମନୀୟ କରି
ପ୍ରାଣେ ପ୍ରାଣେ ଅନୁଭବି ।
ସମାଜ ଚଳଣି କୁସଂସ୍କାର ଆଉ
ବିଧି ବିଧାନର ଦୃଷ୍ଟି
ପ୍ରସାରିତ କର ସ୍ଵକୀୟ ଛନ୍ଦରେ
ନବୀନ ନିଖିଳ ସୃଷ୍ଟି ,
ଅଜ୍ଞାନ ତିମିରେ ଅନ୍ଧ
ତୁମରି ଲେଖାକୁ ଅଧ୍ୟୟନ କରି
ଜାଣିପାରେ ଭଲମନ୍ଦ ।
ଓଲଟାଇ ପାର ଶାସନ ବ୍ୟବସ୍ଥା
ପ୍ରଭାବୀ ରଚନା ବଳେ
ବିପ୍ଳବର ବୀଜ ବୁଣି ଦେଇପାର
ପରାକ୍ରମୀ ସ୍ବର ଛଳେ ,
ଭ୍ରଷ୍ଟାଚାର କଳାନୀତି
ଉଜାଗର କରି ପାରିଛ ନିବାରି
ଶୋଷିତ ଦଳିତ ଭୀତି ।
ଅଭିସାରିକାର ବିରହ ପଣରେ
ମିଳନ ସୁରଭି ଦେଇ
ଦୁଃଖୀଙ୍କ ଭାଗ୍ୟରେ ଆଶା ଜଗାଇଛ
ସୁଦୀପ୍ତ କିରଣ ଦେଇ ,
ଦେଇଛ ବୋଲି ତ ଜ୍ଞାନ
ହେ ପ୍ରିୟ ଲେଖନୀ ତୁମରି ବନ୍ଦନା
ସଭିଏଁ କରନ୍ତି ଗାନ ।
ପ୍ରସନ୍ନ କୁମାର ମାଦଳା