ଲେଖେ ମୁଁ କବିତା ବସି
ଲେଖେ ମୁଁ କବିତା ବସି
ସରସ ସୁନ୍ଦର ମନୋମୁଗ୍ଧକର
ଦେଖିଦେଲେ ମନ ଖୁସି,
ପୁଷ୍ପ କି ଉଦ୍ୟାନ କିବା ରୂପ କିଛି
ମନେ ମନେ ଦିଏ ହସି,
ରହି ମୁଁ ପାରେନା ଆଉ ତ ଜମାରୁ
ଲେଖେ ମୁଁ କବିତା ବସି।
ଅଶ୍ରୁ ଢଳଢଳ ଦୁଃଖୀ ରଙ୍କି ଯେବେ
ଯାଆନ୍ତି ହୃଦୟେ ପଶି,
ଦୀନ ଦରିଦ୍ର ଙ୍କ ଅସୁବିଧା ଦେଖି
ମନ ଯାଏ ଦୁଃଖେ ଭାଷି,
ଅବଳା ହାତ ରେ ନାହିଁ ମୋର କିଛି
ଲେଖେ ମୁଁ କବିତା ବସି।
ଜୀବନ ଟି କଷ୍ଟସୁଖ ସମିଶ୍ରଣ
ଅପ୍ରମିତ କଷ୍ଟ ଆସି,
ଭାରି କରିଦିଏ ଦରଦୀ ହୃଦୟ
ପଥ ରୁ ତା' ଯାଏ ଖସି,
ମନ କି ଆୟତ୍ତ କରିବା ପାଇଁ କି
ଲେଖେ ମୁଁ କବିତା ବସି।
ଯେବେ ଦେଖେ ପୁଣି ସମାଜରେ କିଛି
ଅନ୍ୟାୟ,ଅନୀତି ଅଶୀ,
ଭେଦି ଯାଏ ମନେ କହେନା ବଚନେ
ଗଳେ ଲାଗେ ଯେହ୍ନେ ଫାଶୀ,
ସଚେତନ ଆଣି ଜନ ମାନସ ରେ
ଲେଖେ ମୁଁ କବିତା ବସି।
ହୃଦୟ ଗହ୍ଵରେ ସ୍ମୃତିଟି ଝଲସେ
ହୋଇଥିଲା ଯାହା ବାସି,
ସଜଫୁଲ ପରି ମହକେ ବେଳେ ସେ
ଆଉ ବେଳେ ଯାଏ ଫସି,
ମନ ର ବେଦନା କହିଲେ ସରେନା
ଲେଖେ ମୁଁ କବିତା ବସି।।