ଲାଗିଅଛୁ ଅବିରତ
ଲାଗିଅଛୁ ଅବିରତ
କେଉଁ ଜନମର କେତେ ପୁଣ୍ୟ ବଳେ
ମିଳିଛି ତୋ ପରା ଭାଇ
ସେଇ କଥା ଭାଳି ପୁଲକିତ ହୁଏ
ଏଠି ମୁଁ ଦୂରରେ ଥାଇ ।
ମନେପଡ଼େ ଆମ ପିଲାଦିନ କଥା
ଥିଲୁ ଭାରି ଚୁଲୁବୁଲୁ
ସଭିଙ୍କର ସ୍ନେହ ଆଦର ପାଇ ବି
ବିଗିଡ଼ିନୁ ବିଲୁକୁଲୁ ।
ପିଲାଟି ବେଳରୁ ବାପାଙ୍କ ସାଥିରେ
ଯାଉ ଶିକ୍ଷାଲାଭ ପାଇଁ
ଛୁଟିରେ ସେଠାରେ ରହିଯାଉ କେବେ
ଘରକୁ ଆସୁ ବି ଧାଇଁ ।
ହୋଇଥିଲା ଦିନେ ମୋ ଦେହ ଅସୁସ୍ଥ
ଘରେ ଥିବାବେଳେ ତୁହି
ମାଆ ପଠାଇଲା-"ହାଟରୁ କେତେଟା
ଲେମ୍ବୁ ଯା' ଆସିବୁ ନେଇ ।"
ଯେତେ ଖୋଜିଲେ ବି ମିଳିଲାନି ଲେମ୍ବୁ
ଆସିଲୁ ମନକୁ ମାରି
ବାଟରେ ଗୋଟାଏ ବଗିଚା ଦେଖିଲୁ
ଲେମ୍ବୁଗଛ ଥିଲା ଭାରୀ ।
ଖୋଜିଲୁ ସେଇଠି ବାଡ଼ି ମାଲିକଙ୍କୁ
ପାଇଲୁନି କାହିଁ ଯେଣୁ
ଅତି ଦରକାର ଅଛି ବୋଲି ଭାଳି
ତୋଳିଲୁ କେତୋଟି ତେଣୁ ।
ତୋ ସାଙ୍ଗପିଲାର ସେ ବଗିଚା ଥିଲା
ଭାବିଲୁ ଯିବି ତା' ଘର
କହିବି କେତୋଟି ଲେମ୍ବୁ ନେଉଅଛି
ଅଛି ଭାରି ଦରକାର ।
ଘର ଯିବା ତାଙ୍କ ନ ହୋଇଲା ଆଉ
ବାଟରେ ମିଳିଲେ ଅଜା
ତୁମ ବାଡ଼ି ଲେମ୍ବୁ କହୁ କହୁ ସିଏ
ନେଇଗଲେ ମାରି ମଜା ।
ତଥାପି ଖୁସିରେ ଫେରିଲୁ ଘରକୁ
ହାତେ ଥିଲା ଲେମ୍ବୁ ଦୁଇ
କହିଲୁ ବୁଢ଼ାକୁ ଦେଖାଇବା ଆଗୁଁ
ପକେଟରେ ଦେଲି ଥୋଇ ।
ଅଉଷଧ କାମେ ଲଗାଗଲା ଲେମ୍ବୁ
ଦେହ ହେଲା ମୋର ସୁସ୍ଥ
କୁହାଗଲା କାହା ବିନାନୁମତିରେ
ଚିଜେ ନ ଦେବାକୁ ହସ୍ତ ।
ପରେ ସେ କଥା ତୋ ସାଙ୍ଗକୁ କହିଲୁ
କରୁ ନ ଥିଲି ମୁଁ ଚୋରି
ଅତି ଆବଶ୍ୟକ ଥିଲା ବୋଲି ତାହା
ନେଇଥିଲି ତୋଳି କରି ।
ବାଟରେ ତ ସବୁ ନେଇଗଲେ ଅଜା
ବାକି ରହିଲା ଯା' ଦୁଇ
ଭଲ ହୋଇଗଲା ନାନୀର ସମସ୍ୟା
ସେଇଥିରୁ ଗୋଟେ ଖାଇ ।
ଅନ୍ୟ ପିଲା ଶୁଣି ସେ କଥା ହସିଲେ
କହିଲେ ତୁ ପୂରା ସାଧୁ
ବଡ଼ ହେଲେ ନିଶ୍ଚେ ଗାଁ ନାଁ ରଖିବୁ
ହେବୁ ମଧୁ ଗୋପବନ୍ଧୁ ।
ସତରେ ତୁ ଦିନେ ଭଲ ପାଠପଢ଼ି
ହେଲୁ ଦେଶ କାର୍ଯ୍ୟେ ରତ
ପରିବାର ଆଉ ସମାଜ କଲ୍ୟାଣେ
ଲାଗିଅଛୁ ଅବିରତ ।
ଆଖପାଖ ଲୋକ ତୋ ଉଦାହରଣ
ଦିଅନ୍ତି ପିଲାଙ୍କୁ ନିତି
କେଉଁ ଭଳି ନିଜ କର୍ତ୍ତବ୍ୟ କରୁଛୁ
ଆଗ୍ରହରେ ଯଥାରୀତି ।
ଆହୁରି କେତେ ଯେ ସ୍ମୃତି ମନେପଡ଼େ
କହିଲେ ବିତିବ ଦିନ
ବାକିଦିନ ଯେତେ ସୁଖେ ବିତିଯାଉ
କରି ମାତାଜୀଙ୍କ ଧ୍ୟାନ ।