କୁନିଦିଅଁ ମୋର
କୁନିଦିଅଁ ମୋର
ଭାରି ସୁନ୍ଦରିଆ କଳା ଦିଅଁ ତୁମେ
କୁନି ହାତେ ଅଛ ମୋର,
ନାଲି ଓଠେ ତୁମ ଖିଲି ଖିଲି ହସ
ଲାଗୁଛି ଭାରି ସୁନ୍ଦର।
ଚକାଚକା ଆଖି ସତେ କଥା କୁହେ
ମନକଥା ବୁଝେ ମୋର,
ମଥାରେ ତୁମର ମୟୂର ଚନ୍ଦ୍ରିକା
କି ସୁନ୍ଦର ଶୋଭାପାଏ।
ପାଟପିତାମ୍ବରୀ ଦେହକୁ ତୁମର
ଅତି ମନଲୋଭା ଦିଶୁଥାଏ,
ଏ ବିଶ୍ୱ ବିଧାତା ହେ କରୁଣାନିଧି
ଜଗତ କଳା ଗୋସେଇଁ।
ଅତି ସରାଗରେ ତୁମପାଇଁ କିଛି
ଯତନେ ଲେଖିଛି ମୁହିଁ,
ମନକୁ ଆସିଲା ତୁମ ଯେଉଁ ରୂପ
ହାତଧରି ଲେଖିଦେଲ।
ମଉନରେ ଥାଇ ତୁମେ ହସୁଥାଅ
ଲଗାଇଛ ଭକ୍ତ ଗହଳି,
ତମକୁ ଟିକିଏ ଦେଖିଯିବା ପାଇଁ
ମନ କାନ୍ଦୁଥାଏ ମୋର,
ଭକତ ଗହଳେ ଚାହୁଁଥାଏ ମୁଁ
ଦେଖୁଥାଏ ତୁମ ଶ୍ରୀମନ୍ଦିର ।
ପଣ୍ଡା ପଢିହାରୀ, ସେବକ ଖଟନ୍ତି
ରାତି ଦିନ ଅହନିଶି,
ରୋଷଇ ଶାଳରେ ତୁମପାଇଁ
ନୀତି ଛପନ ପଉଟି ହେଉଥାଏ।
ଚଣ୍ଡାଳ, ବ୍ରାହ୍ମଣ, ଧନୀରୁ ଗରିବ
ତୁମ ପ୍ରସାଦକୁ ଖାଉଛନ୍ତି,
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଆନନ୍ଦ ମନରେ କୁହନ୍ତି ।
