କୁନା ବୁଝିଲ ନିଜର ଭୁଲ
କୁନା ବୁଝିଲ ନିଜର ଭୁଲ


କୁନା ଆମରି ଅବୁଝା ଭାରି
ମାନେନା ଜମା କଥା
ଏଣ୍ଡୁଅ ଦେଖି ମାରି ଗୋଡାଏ
ବାଡରୁ ଭାଙ୍ଗି ବତା ।
କଙ୍କିକୁ ଧରି ଛିଣ୍ଡାଇ ଡେଣା
ବାନ୍ଧଇ ସୂତା ଲାଞ୍ଜେ
ବାଟୁଳି ଧରି ମାରେ ଚଢ଼େଇ
ସକାଳେ ଅବା ସଂଜେ ।
ଏ କଥା ଦେଖି କହିଲେ ଜେଜେ
କୁନାରେ ଛୁଆ ମୋର
ମାରୁ ଚଢ଼େଇ ଏଣ୍ଡୁଅ କଙ୍କି
କି ଲାଭ ମିଳେ ତୋର ।
ତାଙ୍କ ଦେହରେ ହେଲେ ଆଘାତ
କେତେ ଯେ କଷ୍ଟ ହୁଏ
ତୋ ଦେହେ ହେଲେ ଜାଣି ପାରନ୍ତୁ
କଥାଟି ମିଛ ନୁହେଁ ।
ଦିନେ ସକାଳେ ଚଢ଼େଇ ଦେଖି
ଫିଙ୍ଗିଲା ଢେଲାଟିଏ
ଡାଳରେ ଭେଟି ଆସିଲା ଫେରି
ବାଜିଲା କୁନା ଦେହେ ।
ବହିଲା ଲହୁ କୁନାର ଦେହୁ
ଖଣ୍ଡିଆ ହେଲା ପିଠି
ଜେଜେ କହିଲେ କଅଣ ହେଲା
&
nbsp; କାହିଁ କାନ୍ଦୁଛୁ ସେଠି ।
କୁନା କହିଲା ପଥର ଢେଲା
ବାଜିଲା ମୋର ଦେହେ
ବଡ଼ କାଟୁଛି ପୋଡୁଛି ଜେଜେ
କଷ୍ଟ ସହି ନ ହୁଏ l
କହିଲେ ଜେଜେ ବୁଝିଲୁ ଏବେ
ଜୀବକୁ ଦେଲେ କଷ୍ଟ
କେତେ କାନ୍ଦନ୍ତି ଦୁଃଖ ପାଆନ୍ତି
ବୁଝିତୁ ହୁଅ ଶିଷ୍ଟ
କହିଲା କୁନା ମାରିବିନାହିଁ
କେବେବି ତାଙ୍କୁ ଢେଲା
ବାଟୁଳି ଛାଡ଼ି କଲମ ଧରି
ହୋଇବି ସୁନା ପିଲା
କଙ୍କି , ଏଣ୍ଡୁଅ , ଗୁଣ୍ଡୁଚିମୂଷା
ଆଜିଠୁ ମୋର ମିତ
ମାରିବି ନାହିଁ ଧରିବି ନାହିଁ
କଥା କହୁଛି ସତ ।
କୁନା ବୁଝିଲା ନିଜର ଭୁଲ
ସୁଧୁରି ଗଲା ନିଜେ
ମାନିଲା ସିଏ ସବୁ କଥାକୁ
ଯାହା କହିଲେ ଜେଜେ ।