କୁନା ଆଉ ଭଅଁର
କୁନା ଆଉ ଭଅଁର
ସଅଳ ସଅଳ ବାହାରିଲା କୁନା
ଫୁଲ ବଗିଚାକୁ ବୁଲି
ପହଞ୍ଚୁ ପହଞ୍ଚୁ ଡେରି ହେଲା ବୋଲି
ପ୍ରଜାପତି କଲା କଳି।
ସାଙ୍ଗକୁ ମନେଇ ଅନେଇଁ ଅନେଇଁ
ଇଆଡ଼େ ସିଆଡେ଼ କୁନା
କଳା ଭଅଁରଟେ ଦେଖି ପଚାରିଲା
କୁଆଡେ ଯାଉଛ ନାନା।
ଭଣ ଭଣ ହେଇ ଭଅଁର କହିଲା
ଯାଉଛି ଫୁଲ ପାକକୁ
ଫୁଲେଇ ଫୁଲର ପରାଗ ରେଣୁରେ
ଡିମ୍ବାଣୁ ମିଳେଇବାକୁ
ଚାହିଁଥିଲା କୁନା ବଲବଲ କରି
କିଛି ବୁଝି ନ ପାରିଲା
ଭଅଁ ଭଅଁ ହୋଇ ଭଅଁର ବାପୁଡ଼ା
ଉଡ଼ୁ ଉଡ଼ୁ ଉଡ଼ି ଗଲା।
ପରଜାପତି ଟି ବୁଝେଇ କହିଲା
ବସୁନୁ ମୋ ପାଖରେ
ସବୁ କଥା ତୋତେ ବୁଝେଇ କହିବି
ଶୁଣୁଥାଆ ଧୀରେ ସ୍ଥିରେ।
ପ୍ରକୃତିର ପରା ନିୟମ ରେ ଏହି
ଫୁଲରୁ ହୁଅଇ ଫଳ
ଫଳ ହେବାପାଇଁ ପରାଗ ସଙ୍ଗମ
ହେବା ବି ତ ଦରକାର।
ଫୁଟିଲା ଫୁଲର ପାଖୁଡା ମଝିରେ
ପେଡ଼ି ପରି ଛୋଟ ଛୋଟ
ପରାଗ ପେଟୀକା କହନ୍ତି ଏହାକୁ
ଥାଏ ପରାଗ ବହୁତ।
ଅଣ୍ଡିରା ଫୁଲରୁ ଶୁକ୍ରାଣୁ ଅନେକ
ଶରୀରରେ ନିଜ ବୋହି
ମାଇଫୁଲ ର ସେ ପରାଗ ପେଟୀରେ
ଭଅଁର ଦିଏ ଲଗେଇ।
ମାଈ ଫୁଲଟିର ଗରଭ ଶୀର୍ଷରେ
ଶୁକ୍ରାଣୁ ଛାଡିବା ପାଇଁ
କୀଟ ପତଙ୍ଗ ବା ପାଣି ପବନର
ସହଯୋଗ ଲୋଡ଼ା ଭାଇ।
ବୋଇତି କଖାରୁ ତୁମ କିଆରୀରେ
ବାପା ଲଗେଇ ଅଛନ୍ତି
ଅଣ୍ଡିରା ଫୁଲଟେ ମାଈ ଫୁଲ ପରେ
କାହିଁକି ଝାଡ଼ି ଦିଅନ୍ତି?
ଅଣ୍ଡିରା ଫୁଲର ଶୁକ୍ରାଣୁ ମିଶିଲେ
ମାଇଫୁଲ ପରାଗରେ
ଗର୍ଭଦଣ୍ଡ ଦେଇ ମିଶଇ ସେ ଯାଇ
ଗର୍ଭାଶୟ ଡିମ୍ବାଣୁ ରେ।
ମୋ ପରି ମହୁମାଛି ବି ଭଅଁର
ଆହୁରି ପତଙ୍ଗ କେତେ
ପରାଗ ସଙ୍ଗମେ ସହଯୋଗୀ ହ୍ୱନ୍ତି
ନବ ସର୍ଜନା ନିମନ୍ତେ।
ସକାଳୁ ସକାଳୁ ସୁରୁଜ ଉଇଁଲେ
ଫୁଲେଇ ହୁଏ ରେ ଫୁଲ
ଫୁଲର ପ୍ରେମରେ ଭଅଁର ଟା ସଦା
ହେଉଥାଏ ରେ ପାଗଳ।
ଉଛୁର ହେଲାଣି ଘରକୁ ଯା ଏବେ
ଡାକୁଛନ୍ତି ପରା ମାଆ
କାଲିକୁ ଆସିଲେ କଥା ହେବା ଦୁହେଁ
ବାକି ଅଛି ଆଉ ଯାହା।।
