କଟକଣା
କଟକଣା


ଆକାଶ ନଥିବା ପଞ୍ଜୁରୀ ଭିତରେ
ସୁଖେ ତ ରହେନା ଶାରୀ
ତାହେଲେ କିଭଳି ଝିଅଟିଏ ପାଇଁ
କଟକଣା ହୁଏ ଜାରି ?
ଯେଉଁ ପୁରୁଷଙ୍କ ଜୀବନରେ କେବେ
ଆଲୁଅ ଦିଅନ୍ତି ବାଢ଼ି
ସକାଳ ଆସିବା ଆଗରୁ କେମିତି
ସୂରୁଯକୁ ନେଲେ କାଢ଼ି ?
ନିଜ ପ୍ରତିବିମ୍ବ ଖୋଜି ମୋ' ଆଖିରେ
କରୁଥିଲେ ଯିଏ ନାଚ
ଯଦି ସତ ଥିଲା ଭାଙ୍ଗିଲେ କି ଲାଗି
ମୋ' ମନ-ମୁକୁର କାଚ ?
ଶସ୍ତା ଥିଲା କି ମୋ' ଆଖିର ସପନ
ରଦ୍ଦି କାଗଜଟେ ଭଳି
ହତାଦର କରି ସଭିଏଁ ସର୍ବଦା
ଭାବନାକୁ ଦେଲେ ଦଳି ।
>
ଦୋଷ ବି ନକରି ଅଯଥାରେ ସିନା
ଭୋଗିଥିଲି ଏତେ ଦଣ୍ଡ
କେହି ଜଣେ ଆସି ଯୋଡିଦେଲା ଆଜି
ଭାଙ୍ଗିଥିବା ପ୍ରତିଖଣ୍ଡ ।
ଆକାଶ ବି ମୋର ପାଇଅଛି ଫେରି
ସୂରୁଯ ଝଲସେ ଭାଲେ
ଲାଗୁଛି ଯେମିତି ଫୁଲର ଶେଯରେ
ସ୍ୱାଧୀନ ଭାବରେ ଚାଲେ ।
ଯେଉଁ ସଂସାରର କଟକଣା ମଧ୍ୟେ
ନାରୀଟିଏ ଥିଲା ବୁଡ଼ି
ତହିଁରୁ ଅନେକ ଆବର୍ଜନା ବାଛି
ଫୋପାଡ଼ିଛି ଝାଡିଝୁଡି ।
ଶୋଷଣର ଏହି ମହିଷା ଅସୁର
ଛାତିରେ ଛିଡ଼ା ମୁଁ ଆଜି
ଦଶହାତ ନେଇ କାମରେ ଲାଗିଛି
ଦୁର୍ଗତିନାଶିନୀ ସାଜି ।