କ୍ଷମା ପରାୟଣ ଦେବତା ସମାନ
କ୍ଷମା ପରାୟଣ ଦେବତା ସମାନ


ଇଶ୍ଵର ସୃଷ୍ଟିର ସର୍ବତ୍କୃଷ୍ଟ ସୃଷ୍ଟି
ଏଇ ଯେ ମଣିଷ ଜାତି
ସତ୍ୟ, ଦୟା, କ୍ଷମା ଐଶ୍ଵରୀୟ ଗୁଣେ
ଲଭିଅଛି ଯେ ବିଭୂତି ।
ଦୁନିଆକୁ ଆସି ମଣିଷ କିଣଇ
ହିଂସା, ଲୋଭ,କାମ,କ୍ରୋଧ
ଆଚରଣେ ତାର ବିଚାର୍ଯ୍ୟ ହୁଅଇ
ସିଏ ଦେବ କି ଦାନବ ।
ଦୈବୀ ଗୁଣଯୁକ୍ତ ମଣିଷର
କ୍ଷମା ଅଟଇ ଭୂଷଣ
କ୍ଷମା ଦିବ୍ୟଗୁଣ ଦେଇଥାଏ ପରା
ମଣିଷକୁ ଦିବ୍ୟ ଜ୍ଞାନ ।
କ୍ଷମା ଗୁଣେ ନର ହୁଏ ଦୀପ୍ତିମନ୍ତ
ମୁଖେ ଆଭା ପ୍ରସ୍ଫୁଟିତ
ସନ୍ତୋଷ ସ୍ରୋତର କଲ୍ଲୋଳିନୀ ବହେ
ସେ ହୁଅଇ ଦୀପ୍ତିମନ୍ତ ।
କ୍ଷମାର ସାଗର ପ୍ରଭୁ ଦୟାମୟ
କ୍ଷମା ଗୁଣ ଦେଇଛନ୍ତି
କାର୍ଯ୍ୟରେ ଲଗାଇ ଦେବାର ଦାୟୀତ୍ଵ
ଆମ ହାତେ ଦେଇଛନ୍ତି ।
କ୍ଷମା ଗୁଣ ଅଟେ ପୁଣ୍ୟ ସ୍ରୋତସ୍ଵିନୀ
ପରିବର୍ତ୍ତନର ସେତୁ
କ୍ଷମା ଗୁଣେ ନିର ହୁଏ ମହୀୟାନ
ସ୍ନେହ ଶରଧା ର ହେତୁ ।
ମଣିଷ ଜୀବନ ଫେଣ୍ଟା ଫେଣ୍ଟି ଧାରା
ଭୁଲ୍ ଠିକ୍ ର ମିଶ୍ରଣ
ଭୁଲ୍କୁ ସୁଧାରି ଠିକ୍ ବାଟେ ଗଲେ
ମଣିଷ ହୁଅଇ ଧନ୍ୟ ।
କ୍ଷମାଗୁଣ ଠାରୁ ଗୁଣ ନାହିଁ ବୋଲି
ବିଦିତ ସାରା ସଂସାରେ
କ୍ଷମା ପରାୟଣ ଦେବତା ସମାନ
ଶାନ୍ତି ଯେ ବିରାଜେ ହୃଦରେ ।
କ୍ଷମାର ମହତ୍ତ୍ଵ ବୁଝିବା ପାଇଁ କି
ସୁନ୍ଦର ହୃଦୟ ଲୋଡ଼ା
ନିଜ ଭୁଲ୍ ବୁଝି ମନକୁ ପ୍ରସାରୀ
କ୍ଷମା ଗୁରୁତ୍ବ ବୁଝିବା ।
ମଣିଷ ମାତ୍ରେ ହିଁ ଭୁଲ୍ କରି ବସେ
ସ୍ୱୀକାରୋକ୍ତି ଖାଲି ଲୋଡ଼ା&nb
sp;
କ୍ଷମାର ସ୍ପର୍ଶରେ ମଧୁରତା ବଢେ
ଭୁଲ୍ କୁ କରେ ଅଲୋଡ଼ା ।
ଯେଉଁ ଭୁଲ ପାଇଁ କ୍ଷମା ପ୍ରାପ୍ତି ହୁଏ
ପୁନରାବୃତ୍ତି ନ ହେଲେ
ଜୀବନ ହୁଅଇ ଶାନ୍ତି ବିମଣ୍ଡିତ
କପଟ ଦୂରକୁ ଚାଲେ ।
ଏ ସ୍ୱର୍ଗୀୟ ଗୁଣ ଅଟଇ ମହାନ
ଶାନ୍ତିର ସେତୁ ବନାଏ
ମରତେ ରଚଇ ସରଗ ଧାମ ଯେ
ମାନବ ଦେବତା ହୁଏ ।
କ୍ଷମାର ମହତ୍ତ୍ଵ ଅଟେ ଚିରନ୍ତନ
ଉଭୟଙ୍କ ପାଇଁ ଲୋଡ଼ା
କ୍ଷମା ଦାତାର ଯେ ହୃଦୟ ବିଶାଳ
ଢ଼ାଳୁଥାଏ ସ୍ନେହ ଧାରା ।
କ୍ଷମାର ସ୍ପର୍ଶରେ ଆଙ୍କି ହୋଇଯାଏ
ସୁଗୁଣର ଶିଳ୍ପ କଳା
କ୍ଷମା ପାଇବା ଯେ ସୌଭାଗ୍ୟର କଥା
କ୍ଷମା ନୁହଁଇ ଦୁର୍ବଳା ।
କ୍ଷମା ଦେବା ଲୋକ ଦେବତା ସମାନ
ଚେତନାରେ ସୁ ପ୍ରବାହ
ସେଇ ପ୍ରବାହରେ ମଳିନତା ହଜେ
ମର୍ତ୍ତରେ ରଚେ ସରଗ ।
କ୍ଷମା ଦେବା ଲୋକ ଅଟଇ ମହାନ୍
ପ୍ରାପକ ବି ଭାଗ୍ୟବାନ
ପୁନରାବୃତ୍ତି ଯେ ନ ହେଉ ଭୁଲ୍ର
ତା ହେଲେ କ୍ଷମା ମହାନ ।
କ୍ଷମା ସ୍ରୋତସ୍ଵିନୀ ଯା ହୃଦୟେ ବହେ
ସେ ଅଟେ ଚିର ମହାନ
ମରତେ ରଚଇ ମାଟିର ବୈକୁଣ୍ଠ
ନ ଥାଏ ଶତ୍ରୁର ଡର ।
କ୍ଷମା ପରଶ ରେ ଶତ୍ରୁ ପାଲଟଇ
ଦିବ୍ୟ ତମ ମିତ୍ର ଟିଏ
କ୍ଷମାର ମର୍ମରେ ଶାନ୍ତିର ବାରତା
ଅହିଂସାର ଦୀପ ଜଳେ ।
କ୍ଷମାର ମହତ୍ତ୍ଵ ସଭିଏଁ ବୁଝନ୍ତୁ
ଜୀବନେ ସଦ୍ଗୁଣ ଭରୁ
ସ୍ୱୀକାରୋକ୍ତି ହେଉ ଜୀବ ମୂଳାଧାର
ମୂଲ୍ୟବୋଧ ଦୃଢ ହେଉ ।