କୃଷ୍ଣଚୂଡା ହସେ
କୃଷ୍ଣଚୂଡା ହସେ
ଗ୍ରୀଷମ ଆସିଲା ତାତି ପ୍ରକାଶିଲା
ଜଳିଲା ସାରା ଜଗତ
ଡହଡହ ଖରା ତ୍ରାହିତ୍ରାହି କଲା
କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ।
ଖରାର ତାତିକୁ ସହିପାରୁ ନାହିଁ
ଧରିତ୍ରୀ ମାତା ତ ମୋର
ଶୁଷ୍କ ହେଉଅଛି ଜଳସ୍ତର ତାର
ତୃଷାରେ ସର୍ବେ ଆତୁର।
ଜଳ ବିନା ମହୀ ହୁଏ ହନ୍ତସନ୍ତ
ସବୁଜବନାନୀ ମାଳା
ଶୁଷ୍କ ହୋଇ ପ୍ରାୟ ହୋଇଥାନ୍ତି ଠିଆ
ସହନ୍ତି ତାତିର ଜ୍ବାଳା।
ରୌଦତାପ ସହି ପାରନ୍ତି ତ ନାହିଁ
ଟଳିପଡନ୍ତି ସେମାନେ
ତୃଷାରେ ଆତୁର ବନଚର ପ୍ରାଣୀ
ନିସ୍ତାର ନଥାଏ ଜନେ।
ସୂର୍ଯ୍ୟଙ୍କ ପ୍ରକୋପ ସହି ପାରନ୍ତିନି
ବାଇଗଣୀ ରଶ୍ମି ତେଜ
ଚର୍ମ କର୍କଟରେ। ପୀଡିତ ତ ଜନେ
ଚକ୍ଷୁତ ହରାଏ ତେଜ।
ତୃଷାର୍ତ୍ତ ହୃଦୟେ ଡାକନ୍ତି ତ ଜନେ
ଚାତକ ପରାଏ ଯେହ୍ନେ
ଉର୍ଦ୍ଧଗାମୀ ମୁଖେ ଚାହାନ୍ତି ଗଗନେ
ବର୍ଷାକୁ ଧ୍ଯାୟିତ ମନେ।
ହସେ କୃଷ୍ଣଚୂଡା ଦେଖି ଏହି ଭାବ
ନିର୍ଭୀକ ସୈନିକ ସିଏ
ତରିଯାଏ ନାହିଁ ଗ୍ରୀଷମ ପ୍ରକୋପ
ଯେତେ ରୂପ ନିଏ ସେହି।
ଫାଟିଯାଏ ମହୀ ଜଳବିନା ସେହି
ରୁଧିର ଝରେ ନୟନୁ
ତାର ତେଜ ରଶ୍ମି ଦିଅଇ ଆଘାତ
ତଥିପି ହାରେନା ମନୁ।
ପାଦ ଶବ୍ଦ ତାର ଭୟ ସଞ୍ଚାରଇ
ଜଗତ ଜନଙ୍କ ହୃଦେ
କାଳ ବଇଶାଖି ବାଆ ବତାସର
ବିପଦ ତ ପଦେପଦେ।