କୃଷ୍ଣ ଜନ୍ମ ଦ୍ଵିତୀୟ ଭାଗ
କୃଷ୍ଣ ଜନ୍ମ ଦ୍ଵିତୀୟ ଭାଗ
ବସୁଦେବ କୋଳେ ବାସୁଦେବ ଚଳେ ଜନ୍ମ ହୋଇ ବନ୍ଦୀ ଶାଳେ ହେ
ଅନ୍ଧାର ନିଃଶଦ୍ଦ ରଜନୀ ନିରନ୍ଧ୍ର ପଥ ନଦିଶଇ ଡୋଳେ ସେ
ଭୟେ ତା ଅପାଙ୍ଗ ଥରେ
ପଥ ଦରାଣ୍ଡି ଚାଲେ ଅନ୍ଧାରେ ସେ ।।
ଅଶନି ଗର୍ଜଇ ବିଜୁଳି ମାରଇ ଝର ଝର ବର୍ଷା ଢାଳେ ଯେ
ତିନ୍ତିବାର ଦେଖି ଅଶିଣ ବାସୁକି ଉପରେ ଫଣା ଉଢାଳେ ହେ
ଘଡଘଡି କରେ ରଡି
ମହୀ ପଡେ ଶବଦେ ଉଛୁଳି ହେ ।।
ରାଜା ଉଗ୍ରସେନ ପ୍ରହରୀ ସମାନ ଜଗିଥାଏ ମଧୁପୁର ହେ
ଶବଦ ବାରିଣ ପଥ ଓଗାଳିଣ ପୁଛଇ କିଏ ତୁ ଚୋରରେ
କିସ ଘେନି କେଣେ ଯାଉ
ଜାଣିନୁକି କଂସାସୁର ଦାଉରେ ।।
ଶୁଣି ବସୁଦେବ ଚିନ୍ତଇ ମାଧବ ଦୟାକର ଚକ୍ରଧର ହେ
ଦୁଃଖ ପରେ ଦୁଃଖ ଦିଅ ପଦ୍ମମୁଖ ଏ ବିପଦୁ ପାରି କର ହେ
ନାହିଁ ଆଉ ମୋର ତ୍ରାହି
ରକ୍ଷାକର ବାରେ ଭାବଗ୍ରାହୀ ହେ ।।
ସାହସ ବାନ୍ଧିଣ ବୋଲେ ବସୁଦେବ ପୁତ୍ରକୁ ନେଇ ଯାଉଛି ହେ
ଯହିଁତହିଁ ରଖି ଆସିବା ପାଇଁ କି ନେଇ ସଙ୍ଗେ ବାହାରିଛି ହେ
ତହୁଁ ବୋଲେ ଉଗ୍ରସେନ
କଂସ ହସ୍ତୁ ନାହିଁ ପରିତ୍ରାଣରେ ।।
ପିତାଙ୍କ ବିକଳ ଜାଣି ବଂଶୀଧର ଉଗ୍ରସେନଙ୍କୁ ବୋଲନ୍ତି ଯେ
ସ୍ଵଂୟ ନାରାୟଣ ଆରେ ଉଗ୍ରସେନ ପଥ ଛାଡ ତୁ ଝଟତିରେ
ଆମ୍ଭେ ଯିବୁ ଗୋପପୁର
ବେଳ ହେଉଛି ପରା ଉଛୁରରେ ।।
ଯେବେ ନାରାୟଣ ଶଂଖ ଚକ୍ର ଚିହ୍ନ ଦେଖାଅ ମୋତେ ବହନରେ
ଖଡ୍ଗ ମୁଷ୍ଟି କରି ବୋଲେ ଦେବି ମାରି କହୁଛି ସତ୍ୟ ବଚନରେ
ଶୁଣି ଶଂଖ ଚକ୍ର ଚିହ୍ନ
ଦେଖାଇଲେ ତାକୁ ନାରାୟଣ ଯେ ।।
ଧନ୍ୟ ହେଲା କହି ପଥ ଛାଡି ଦେଇ ଚାଲି ଗଲା ଉଗ୍ରସେନ ଯେ
ଯମୁନା କୂଳରେ ବସୁଦେବ ଖରେ ଦେଖେ ନଦୀ ଜଳ ପୂର୍ଣ୍ଣ ଯେ
ବହେ ଦୁଇ କୂଳ ଖାଇ
ଯିବ କେମନ୍ତେ ମନେ ଭାବଇ ସେ ।।
ସାହସ ଧରି ସେ ଜଳେ ବଳେ ପସେ ପୁତ୍ରକୁ ମସ୍ତକେ ଧରି ଯେ
ସ୍ରୋତେ ଭାସିଯାଇ ଡାକାଇ ମାଧୋଇ ଜଳେ ମୁଁ ହୁଏ ଅସ୍ଥିର ହେ
ଦେଖି ଯମୁନା ଭାବଇ
ଏତ ନିଜେ ପରା ଭାବଗ୍ରାହୀ ଯେ ।।
ଗୋପରେ ବଢିବେ ମୋ ଜଳେ ଖେଳିବେ ମୋତେ ପବିତ୍ର କରିବେ ଯେ
ଏତେ ଭାବି ଜଳ ଛାଡି ଦିଶେ କୂଳ ନଦୀ ପାରି ହୋଇ ଗଲେ ସେ
ମିଳି ଯଶୋଦା ମନ୍ଦିରେ
ଦେଖେ ସର୍ବେ ଶୟନ ମୁଦ୍ରାରେ ଯେ ।।
ଯଶୋମତୀ କୋଳେ ପୁତ୍ର ରଖି ଧୀରେ କନ୍ୟାକୁ ହସ୍ତରେ ତୋଳି ସେ
ପୁତ୍ର ମୁଖ ଚାହିଁ ବିଦାୟ ମାଗଇ ଆଖି ଛଳଛଳ କରି ଯେ
ତୋତେ ଲାଗିଲାରେ ଧନ
ଦୁଃଖ କଷଣ କର ମୋଚନରେ ।।
ତରତରେ ଆସି ବନ୍ଦୀ ଘରେ ପସି କନ଼୍ୟାକୁ ଦେବକୀ କୋଳେ ଯେ
ପଦେ ପଦ ବେଡି ହାତର ଶିକୁଳି ଦ୍ଵାର ପଡେ ଘୋର ଶଦ୍ଦେ
ପ୍ରହରୀ ନିଦ୍ରା ତୁଟିଲା
ଦେଖଇ ପ୍ରଭାତ ହେବ ପରା ଯେ ।।
ଶିଶୁ କାନ୍ଦ ଶୁଣି ଡଗର ତକ୍ଷଣି କଂସ ଆଗେ ଜଣା କଲା ଯେ
ଶିଶୁ ଜନ୍ମ ଶୁଣି ଆସିଲା ତକ୍ଷଣି ବନ୍ଦୀ ମନ୍ଦିରେ ମିଳିଲା ସେ
ଦେଖି ମଥା ଗଲା ଘୁରି
ଶିଶୁ ଦିଶେ ସତେକି ବିଜୁଳି ଯେ ।।