କରୋନା ସହିତ ବଞ୍ଚିବାକୁ ହେବ
କରୋନା ସହିତ ବଞ୍ଚିବାକୁ ହେବ
କିଏ ଟିକେ କହନ୍ତାନି
ଘରେ ବସି ବସି ବୋର ହେଉଥିବ,
ବାହାରକୁ ଯାଅ, ଟିକେ ବୁଲିଆସ,
ବଜାରରେ ହାଟ ଲାଗିଥିବ
ସକାଳୁ ସକଳୁ ସଜ ପରିବା ମିଳିବ,
ଛକ ପାଖ ବରଗଛ ମୂଳେ
ସେ କେଉଟ ପାଖରେ
ତାଜା ତାଜା ଚୁନାମାଛ ଥିବ
ମିଳିବ ଯଦି, ଅଧକିଲୋ ନେଇକି ଆସିବ ।
ହେଲେ ମୁନିସିପାଲିଟି ଗାଡି
ସବୁଦିନ ସକାଳ ସଂଜରେ
ଡାକବାଜି ଯନ୍ତ୍ରରେ ଘୋଷଣା କରୁଛି
ସହରରେ କରୋନା ବୁଲୁଛି,
ଘରେ ରୁହ, ରାସ୍ତାରେ ଢେଙ୍ଗାଧରି
ପୋଲିସ୍ ଜଗିଛି ।
ଦେଢମାସ ହେଲାଣି
ଘରେ ବସି ଆଣ୍ଠୁ ଗଣ୍ଠି ଦରଜ କଲାଣି,
ନିତି ନିତି କେତେ ମନେ ପଡେ
ନିଧିସାହୁ ଦୋକାନର ବରା ପିଆଜି ଘୁଗୁନି ।
ସାଙ୍ଗସାଥୀ ଯେତେକ ଆଖ ପାଖରେ ଅଛନ୍ତି
କରୋନା ଡରରେ କେହି ମାଡେନାହିଁ କତି
କେତେ ଦିନ ଗୃହବନ୍ଦୀ ରହିବା ଏମିତି ?
କାମ ନାହିଁ କାମିକା ହାତକୁ
ଦୁଇ ଓଳି ମିଳେ ନାହିଁ ଭାତ
ଭୋକିଲା ପେଟକୁ,
ଛୋଟ ବଡ ଦୋକାନ ବଜାର
କବାଟରେ ତାଲା ଝୁଲେ
ହୁଏନାହିଁ କିଛି କାରବାର,
ସକାଳରୁ ସଂଜଯାଏ
ମିଳେ ଖାଲି ଦୁଃଖ ସମାଚାର,
କେତେ ମଲେ,
ଆଉ କେତେ ହୋଇଲେ ବେମାର ।
କରୋନା ଯେ ବହୁରୂପୀ
ଘଡି ଘଡିକରେ ବଦଳାଏ ରୂପ
ଛୁଇଁ ଦେଲେ ମାଡିବସେ
ଏକରୁ ଆରେକକୁ କରେ ସଂକ୍ରମିତ ।
ହେଲେ, କେତେଦିନ
କରୋନା ଏମିତି ଡରାଇବ ଛାତି
ବିତି ଯାଏ କେତେ କ୍ଳାନ୍ତ ଦିବସ,
କେତେ କେତେ ନିଦ୍ରାହୀନ ରାତି ।
ଡରକୁ, ଡରାଇବାକୁ ହେବ,
କରୋନା ଏତେ ଶିଘ୍ର ଯିବନାହିଁ
କରୋନା ସହିତ ଜିଇଁବା
ଆମକୁ ଶିଖିବାକୁ ହେବ ।
ସବୁ କ୍ଷେତ୍ରେ ସାମାଜିକ ଦୂରତା
ବନ୍ଧୁ ଠାରୁ ବ୍ୟବଧାନ ରଖିବାକୁ ହେବ,
ଅନାବଶ୍ୟକ ବସ୍ତୁ କିଛି ଛୁଇଁବାନି
ଦରକାର ନଥିଲେ ବାହାରକୁ ଯିବାନି
ନିଜ ପୋଷାକ ସହିତ
ଆଉ ଏକ ନୁଆ ପରିଧାନ
ସର୍ବଦା ମୁହଁରେ ମାସ୍କ ପିନ୍ଧିବାକୁ ହେବ,
ନିୟମିତ ବ୍ୟବଧାନେ
ନିଜ ହାତ ଧୋଇବାକୁ ହେବ ।
ରୋଗକୁ ଲୁଚାଇ ବୁଲିଲେ
ରୋଗ କେବେ ଲୁଚେ ନାହିଁ,
ଯଦି ଅବା ଲୁଚାଇବ ଯିଏ,
ସିଏ ନିଜେ ତ ମରିବ
ନିଜ ସାଥେ ସ୍ୱଜନଙ୍କୁ ଆରପାରି ନେବ ।
ନିଜେ ସୁସ୍ଥ, ସୁରକ୍ଷିତ ରୁହ
ସମାଜକୁ ନିଶ୍ଚିନ୍ତରେ ରହିବାକୁ ଦିଅ ।