କରିବୁ ନାହିଁରେ କରୁଣା ଊଣା
କରିବୁ ନାହିଁରେ କରୁଣା ଊଣା
ମତେ ମନା ତୋର
ଦେଉଳ ଦୁଆର
ହେଲେ ତୋତେ ମନା ନାହିଁ
ଆସିବୁରେ କାହ୍ନା ଫଗୁଣରେ ଥରେ
ରଙ୍ଗ ଅବିରକୁ ନେଇ ।
ଲିପା ପୋଛା କରି
ଝୋଟି ଆଙ୍କିଥିବି
ଚୁଆ ଚନ୍ଦନ ମୁଁ ଦେଇ
ଦୋଳ ବିମାନରେ ଆସିବୁରେ କାହ୍ନା
ରାଈଙ୍କୁ ସାଥିରେ ନେଇ ।
ଧନ୍ୟ ହେବ ଆଖି
ତତେ ଥରେ ଦେଲେ ଦେଖି
ପାଛୋଟି ଆଣିବି ଧୂପ ଦୀପ ଦେଇ
ପର୍ଣ୍ଣ କୁଟୀରକୁ ମୋର
ଭକତିର ଲୁହ ବୋହି ଯାଉଥିବ
ମୋ ଆଖିରୁ ଧାର ଧାର ।
ଚରଣ ପଖାଳି ସଜେଇଦେବି ମୁଁ
ମୟୂର ପୁଚ୍ଛରେ ଜୁଡାକୁ ତୋର
ଆସନେ ବସେଇ
ଭୋଗ ରାଗ ଦେଇ
କରିବି ତୋର ଆଳତୀ
ମନକଥା ମୋର ସବୁତ ତୁ ' ବୁଝୁ
ବୁଝି ପାରୁନୁ କାହିଁକି ଏତିକି !!
ଚାହୁଁ ନାହିଁ କାହ୍ନା
ଧନ ବୈଭବ
ଚାହୁଁଛି ତୋର କରୁଣା
ଜୀବନର ସୂର୍ଯ୍ୟ ଅସ୍ତମିତ ବେଳେ
ଦେବୁ ଟିକେ ତୋର ଦରଶନ ମୋତେ
କରିବୁ ନାହିଁରେ କରୁଣା ଊଣା ।