କନ୍ୟାଦାନ
କନ୍ୟାଦାନ




କନ୍ୟାଦାନ
ସରିଗଲା ତୋର ବାପଘର ଖେଳ
ସଂସାର କରିବୁ ଯାଆ,
ସଭିଙ୍କର ମନ ନେଇ ତୁ ଚଳିବୁ
ରଖିବୁ ବାପର ନାଆଁ ;
କରିଲି ମୁଁ କନ୍ୟାଦାନ,
ଛାତି କୁଣ୍ଢେମୋଟ ହୃଦ ଛଟପଟ
କିଏ ବୁଝିବ ମୋ ମନ?
ଶ୍ବଶୁରଙ୍କୁ ତୋର ବାପା ଡାକିବୁ ଲୋ
ଶାଶୁଙ୍କୁ ଡାକିବୁ ମାଆ,
ଦିଅର ନଣନ୍ଦ ଭାଇ ଭଉଣୀ ତୋ
ସ୍ଵାମୀ ହିଁ ତୋହରି ସାହା;
ରାଗିବୁନି ଝିଅ ଜମା,
ଦୋଷ ଥିଲେ ତୋର ବାପା ମାଆଙ୍କର
କରିଦେବୁ ତୁହି କ୍ଷମା।
ଦିଅର ଥଟ୍ଟାରେ କହିଦେଲେ କିଛି
ଭାବି ତୁ ଉତ୍ତର ଦେବୁ,
ନଣନ୍ଦର ଯଦି ଭୁଲ କିଛି ହୁଏ
ସେନେହରେ ବୁଝାଇବୁ;
ଶାଶୁ ତୋ ପୁରୁଣା ଲୋକ
ଅଯଥାରେ ଖାଲି କରିଲେ ବି ଗାଳି
ଧରିବୁନି କଥା ତାଙ୍କ।
ପଣତରେ ବାନ୍ଧି ସ୍ଵାମୀକୁ ତୋହର
ରଖିଥିବୁ ଝିଅ ମୋର,
ପତିଦେବ ଯଦି ଅବାଟରେ ଗଲେ
ଭାଙ୍ଗିଯିବ ସୁନାଘର ;
ଶ୍ୱଶୁରଙ୍କୁ ସେବୁଥିବୁ,
ତାଙ୍କ ଆଶୀର୍ବାଦ ପାଇଲେ ଝିଅ ତୁ
ସୌଭାଗ୍ୟବତୀ ହୋଇବୁ।
ସଂସାର ଭିତରେ ଘର କରିଲେ ଲୋ
ପଥର ପଡିଲେ ସହି,
ଘରର କଥାକୁ ମନରେ ରଖିବୁ
ପରକୁ ଦେବୁନି କହି ;
ହେଲେ ଭୁଲ ବୁଝାମଣା,
ସାହସ ଧରି ତୁ ଆଗେଇ ଚାଲିବୁ
କରିବୁନି ମନ ଊଣା।