କଳ୍ପନା କେବଳ କବିର
କଳ୍ପନା କେବଳ କବିର
କେଉଁ ଉପାଦାନେ ଗଢିଲେ ବିଧାତା
ହୋଇଗଲି ଭାବୁୁୁକଟେ,
ତୁମେ ନ ଥିଲେ ଗୋ କଳ୍ପନାରାଣୀ
ମୋ ଗୀତ ରହେ ଅଧା ବାଟେ ।
ତୁମ ପରଶରେ ମାନସ ପଟରେ
ସୃଷ୍ଟ ହୁଏ କେତେ କଥା,
କଲମ ମୁନରେ ରୂପଦେଇ ତାକୁ
ଲେଖେ ମୁଁ ନୂଆ କବିତା ।
ଲେଖି ଲେଖି ଯେବେ ପଡ଼ିଯାଏ ଥକି
ଜାଗ୍ରତ କର ଗୋ ମୋତେ,
ଏ ଟିକି ହାତରେ ମସୀ ଦେଇ କୁହ
'ରହିଛି ମୁଁ ତୁମ ସାଥେ।'
କଳ୍ପନାରେ ହସେ କଳ୍ପନାରେ ଭାଷେ
କଳ୍ପନାରେ ମଜ୍ଜିଯାଏ,
ଶୟନେ ସପନେ ଜାଗରଣେ ଖାଲି
କଳ୍ପନାକୁ ଖୋଜୁଥାଏ।
ଦେହରେ କଳ୍ପନା ମନରେ କଳ୍ପନା
ହୃଦୟରେ ବି କଳ୍ପନା,
ତୁମେ ନ ଥିଲେ ଗୋ କଳ୍ପନାରାଣୀ
ମୁଁ ହୋଇଯାଏ ବାଟବଣା।
ଏ ଆମ୍ବ ବଉଳ, ମଳୟ ପବନ,
କୋଇଲିର କୁହୁତାନ,
ତୁମେ ନ ଥିଲେ ଗୋ ଫିକା ଫିକା ଲାଗେ
ଯାହା ଭାବୁଥାଉ ମନ।
କାହିଁକି ମୋ ହୃଦେ ବସା ବାନ୍ଧିଅଛ
ବୁଝି ତ ପାରୁନି କିଛି,
ମନଖୋଲିି କୁହ ଏହାର ରହସ୍ଯ
ସନ୍ଦେହ ନ ରଖି କିଛି।
ଚଞ୍ଚଳତା ତୁମ ସହଜାତ କି ସେ
ମନରେ ଭରିଛ ଶତେ,
ଭଲମନ୍ଦ କିିଛି ବିଚାର କରୁନ
ପୋଥା ମୁୁଁ କରିବି କେତେ!