କଳଙ୍କିନୀ
କଳଙ୍କିନୀ
ଅଥୟ ପକ୍ଷୀଟେ ପରି
ତୁମେ ସିନା ଉଡ଼ିବୁଲ ଦୂର ପାହାଡ଼ରେ
ଭୁଲି ନୀଡ଼ ଭୁଲି ପରିବାର,
ବର୍ତ୍ତିଯିବ କି ତୁମେ ସମାଜର ସନ୍ଦେହୀ ଚକ୍ଷୁରୁ
ନିନ୍ଦିତ କରିବ ଯେବେ
ଆଖ୍ୟା ଦେଇ ଏକ କଳଙ୍କିନୀର ।
କାନ୍ଥ ବାଡ଼ ସଦର ଦରଜା
ତୁମ ପାଇଁ ଯେବେ ହୁଏ ଲୌହର ଶିକୁଳି
ପଞ୍ଜୁରୀର ପୋଷା ଶାରୀ ପରି,
ସମ୍ପର୍କର ଅଦୃଶ୍ୟ ବନ୍ଧନ ତୁମ ପାଇଁ ବୋଧହୁଏ
ତପ୍ତ ମରୁବାଲି
ପରାଧୀନ ବନ୍ଦୀଘର ପରି ।
ଦୂର ଆକାଶର ଅଚିହ୍ନା ଠିକଣାରେ
ଅଛି ସିନା କ୍ଷଣିକ ଆନନ୍ଦ
ଡେଣା ଝାଡିବାର ଅଭିମାନ,
ମାଟିର ସେ ମହୁଆ ବାସ୍ନାରେ
ବୁଡ଼ି ଦେଖ ଥରେ ଆଉ କେବେ ଟାଣିବନି
ଆକାଶର ନୀଳ କୀର୍ତ୍ତିମାନ ।
ଖୁସି କେବେ ନଥାଏ ନିଜ ଡେଣା ଚମକାଇ
ଖଣ୍ଡିଉଡା ଦେଲେ
ଯୋଡ଼ି ଦେଖ ଛିନ୍ନ ପର ଏକ
ନିଜ ପାଇଁ ଛାଡି ଜିଇଁ ଦେଖ ଆଉ କାହା ପାଇଁ
ସେ ଅନ୍ଧାରୀ ନୀଡ଼ରେ
ଆଉ କାହା ଆଖି ପଢ଼ି ଶିଖ ।
ବଢ଼ାଇ ଦେଖ ଥରେ ହାତ ତୁମ ବନ୍ଧୁତ୍ୱର
ନ ରଖି ଆଶା କିଛି
କେତେ ହାତ ବଢ଼ିଆସେ ଦେଖ,
ସଂଶୟ ଓ ସନ୍ଦେହରେ ନହୋଇ ଅଥୟ
ସହଜରେ ଜୀଇଁ ଦେଖ
ତୁମ ପାଶେ ସୁଖ ଆଉ ସୁଖ ।
ଯେଉଁ ଏ ସମାଜ ଦିନେ ନାକ ଟେକିଥିଲା
ତୁମକୁ କଳଙ୍କିନୀ କହି
ଆନନ୍ଦରେ ପଡ଼ିବ ଉଛୁଳି,
ସ୍ୱାର୍ଥପର ଏ ସମାଜ ଯେଣୁ
ନିଜକୁ ବିତରି ଚାଲ ବଞ୍ଚିଥିବା ଯାଏଁ
ତା ଖୁସିରେ ଦୁଃଖ ଯିବ ଭୁଲି ।