କ୍ଳାନ୍ତ ଆଖିର ସ୍ୱପ୍ନ
କ୍ଳାନ୍ତ ଆଖିର ସ୍ୱପ୍ନ




ନିସ୍ତବ୍ଧ ନିର୍ଜନତାର ଜଠରୁ ଯେତେବେଳେ
ନିବିଡ଼ ନିଃସଙ୍ଗତା ଆବିର୍ଭୂତ ହୁଏ,
ମନ ପକ୍ଷୀ, ଆଶାର ପକ୍ଷ ନେଇ
ଉଡ଼ିବୁଲେ ଦେଖିବାକୁ !
କ୍ଳାନ୍ତ ଆଖିରେ ସ୍ବପ୍ନ ।
ସ୍ବପ୍ନ !!!
କଅଁଳ ଘାସଗଲିଚା ଉପସ୍ଥିତ
କ୍ଷୁଦ୍ର ଶିଶିର ବିନ୍ଦୁର ତନ୍ମୟତା,
ଉଇହୁଙ୍କାରେ କ୍ଷୁଦ୍ର ଜୀବଟିର
ସୁକ୍ଷ୍ମ କାରୁକାର୍ଯ୍ୟର ଶ୍ରେଷ୍ଠ ଦକ୍ଷତା,
ନିଷ୍ଫଳ ପ୍ରୟାସ ଅନ୍ତେ ଖଦ୍ୟୋତର
ଅନ୍ଧାର ବିରୋଧରେ ହରିତ୍ ସଫଳତା
ରିକ୍ତ ସିକ୍ତ ରୁକ୍ଷ ଶୁଷ୍କ ପରେ ପ୍ରକୃତି କୋଳରେ
ସବୁଜିମାର ସୌନ୍ଦର୍ଯ୍ୟ ସୁରଭିତ ଅଭିଯାନ
ମୁଁ ଦେଖି ବସେ !
କ୍ଳାନ୍ତ ଆଖିରେ ସ୍ବପ୍ନ ।।
ସ୍ବପ୍ନ !!!
ବୃଦ୍ଧ ପିତାମାତା ପ୍ରତି, ସନ୍ତାନଙ୍କ
ସେହ୍ନ-ଶ୍ରଦ୍ଧା-ଭକ୍ତି-କର୍ତ୍ତବ୍ୟର ବିମୁଖତା,
ଘରଭାଂଗି ନବବଧୂର ସଦ୍ୟଜାତ
ବିକାର-କୁତ୍ସିତ-କଦାକାର ପକଟତା,
ରାସ୍ତା କଡ଼ର ଅନାଥ - ଅସହାୟ ବାଳକଟିର
ନିଃସହାୟ ରୁଗ୍ଣ ଶ୍ବାନ ଶାବକ ପ୍ରତି ଉଦାରତା,
ପୁଣି ;
ନବୀନ ପ୍ରଭାତରେ ନବ୍ୟତାର ଜୟ ଗାନ
ମୁଁ ଦେଖି ବସେ !
କ୍ଳାନ୍ତ ଆଖିରେ ସ୍ବପ୍ନ ।।
ମୁଁ ନିର୍ମମ ଶିଳ୍ପୀଟେ ସାଜି
ବନ୍ଧୁର ପ୍ରସ୍ତର ଦେହେ
ଫୁଟାଇ ଚାଲେ,
ଅସଂଖ୍ୟ ଅଗଣିତ ସ୍ୱପ୍ନର ଦୁର୍ଭେଦ୍ୟ ପ୍ରାଚୀର
କୁଶଳୀ କାରିଗର ପରି
ନିଖୁଣ ଭାବେ ଗଢ଼ିଚାଲେ,
ଇନ୍ଦ୍ରପ୍ରସ୍ଥର ରଂଗୀନ୍ ନଅର,
ପୁଣି ;
ହରପ୍ପା, ମହେଞ୍ଜୋଦାରର
କଳା ସଂସ୍କୃତି ସଭ୍ୟତା
କେତେ ନୂତନ - ପୁରାତନ
ମୁଁ ଦେଖି ବସେ !
କ୍ଳାନ୍ତ ଆଖିରେ ସ୍ବପ୍ନ ।।