କି ରଜ ପାଳିବା
କି ରଜ ପାଳିବା
କି' ରଜ ପାଳିବା କି' ସଜ ହୋଇବା
ସନ୍ତାପିିତ ହୃଦୟରେ
କେତେ ପରିବାର ଉଜୁଡି ଗଲାଣି
କରୋନା ମହାମାରୀ ରେ।।
ଭାବିଛ କି' ଥରେ ତାଙ୍କ କଥା ସବୁ
କେମିତି ସେମାନେ ଥିବେ...?
କେତେ ଅସହାୟ ଅବସ୍ଥା ଭିତରେ
ସମୟ ବିତଉଥିବେ।।
ଆଖିରୁ ତାଙ୍କର ଲୁହ ସବୁ ସରି
ଝରୁ ଥିବ ଖାଲି ଲହୁ
କେତେ କୋଳ ଶୂନ୍ଯ କରିଲୁ କୋରନା
କାହିଁକି ସାଧିଲୁ ଦାଉ।।
କେତେ ସୀମନ୍ତିନୀ ମଥାରୁ ସିନ୍ଦୂର
ପୋଛି କରିଦେଲୁ ଶୂନ୍ୟ
ଅନାଥ ହୋଇଲେ କେତେ ଯେ ବାଳୁତ
ହେଲେ ପିତାମାତା ହୀନ।।
କାହାର କାହାର କୂଳକୁ ବୁଡେଇ
ବଂଶ କରି ଦେଲୁ ନାଶ
ଭଗ୍ନ ହୃଦୟରେ କିଏବା ବଂଚିଛି
ମନେ ଭରି ଅବଶୋଷ।।
କିଏ ସେ ପାଚିଲା କିଏସେ ବା କଞ୍ଚା
ଦେଖିଲା ନାହଁଟି କାଳ
ଅଧାବାଟ ଟାରୁ ନେଇ ଗଲା ଟାଣି
ସାରି ଦେଇ ତାଙ୍କ ବେଳ।।
ଆଗକୁ ଚାହିଁଲେ ଦିଶେ ଅନ୍ଧକାର
ପଛେ ଶୁଭେ ହା ହା କାର
ହରାଇ ଥିବାର ଅନ୍ତହୀନ ଦୁଃଖ
ଶୂନ୍ଯତାର ଆର୍ତ୍ତସ୍ବର।।
କେତେ ଶିଶୁ ହେଲେ ବାପ ମା' ଛେଉଣ୍ଡ
ଦୁଃଖର ଚଉହଦିରେ
ମାଆ ପଣତର ସ୍ନେହ ଶ୍ରଦ୍ଧା ଭାବ
ପାଇବେ ନି' ଜୀବନରେ।।
କରୋନା ବିଷର ଚକ୍ରବ୍ଯୁହେ ପଶି
ମୁଖେ ନାହଁ ହସ ଖୁସି
ଆଶା ଆଶଙ୍କାରେ ଆଭାସ ଶୁଭୁଛି
(ସତେ)ପାହିବକି' ଦୁଃଖ ନିଶି।।
ଦୁଃଖ ଦରିଆରେ ରଜର ମଉଜ
ଭାସେ ଉବୁଟୁବୁ ହୋଇ
କେମିତି ପାଳିବା ରଜ ସଜବାଜ
ଉଦାସୀ ମନକୁ ନେଇ।।
କି' ରଜ ପାଳିବା କୋରନା କବଳେ
ବୁକୁଫଟା ର କୋହରେ
ଜୀବନ ତ ଜଳେ କୁହୁଳା ଧୂଆଁରେ
ନିତି ମଶାଣି ଜୁଇରେ।।