କି'ଏ ବା ପଚାରେ?
କି'ଏ ବା ପଚାରେ?
କବିତା - କି'ଏ ବା ପଚାରେ ?
ରଚନା - ପଞ୍ଚାନନ ଜେନା
ତାରିଖ -୩୦-୦୫-୨୦୨୬
+++++++++++++++++
ଆକାଶ ଛୁଆଁ ପାହାଡ଼ ପଛରେ
ଯେବେ ଡୁବିଯାଏ ଦିନମଣୀ ସୂର୍ଯ୍ୟଦେବ
ସଂନ୍ଧ୍ୟାରାଣୀ ପଣତ କାନିକୁ ଲମ୍ବେଇ
କଳା କିଟିକିଟି ଅନ୍ଧାର ବିଂଚିଦିଏ ପ୍ରମାଦ
କୁହ ! କିଏ ବା ସୂର୍ଯ୍ୟକୁ ପଚାରେ
କୁହ ! କିଏ ବା ରବି କିରଣକୁ ଝୁରେ
ରୂପା ଥାଳିଆ ପୂର୍ଣ୍ଣମୀ ତିଥିରେ
ଜ୍ୟୋତ୍ସ୍ନା ବିଧୌତ ରାସ ରଜନୀରେ
କଳାମେଘ ଘୋଟି ଆସିଲେ ଦୈବାତ୍
କାଳବୈଶାଖୀ ମାଡି ଆସିଲେ ଅକସ୍ମାତ୍
କୁହ ! କିଏ ବା ଜହ୍ନକୁ ପଚାରେ
କୁହ ! କିଏ ବା ଜହ୍ନରାତିକୁ ଝୁରେ
ଅନ୍ତର ତଳେ ବେଦନା ସବୁ ଟଳମଳ
ବାଣ୍ଟିବି କାହାକୁ ବର୍ଣ୍ଣିବି କାହାକୁ
ଜାଣି ପାରେନା ଦିଶେନା ଥଳକୂଳ
ସ୍ୱାର୍ଥ ସରିଲେ ମଧୁର ସଂପର୍କ ତିକ୍ତ ଅସମ୍ଭାଳ
ଦୁନିଆ ବଡ଼ଦାଣ୍ଡରେ ପରା ଭାରି ଗହଳ ଚହଳ
କିଏ ବା ଆପଣାର ଜାଣିବା କଳିବା ଭାରି ମଟାଳ
କିଏ ଅରୀ - ବଇରୀ ବା ବନ୍ଧୁ ମହାନ୍ତି ଭାବିବା ଅସମ୍ଭାଳ
କୁହ ! କିଏ ବା ବନ୍ଧୁକୁ ପଚାରେ
କୁହ ! କିଏ ବା ମୌସମୀ ବନ୍ଧୁକୁ ଝୁରେ
ରାତି ପାହିଗଲେ ଯୌବନ ଢଳିଗଲେ
ବଳ ବୟସ ପରା ଲାଗେ ଫୁଲ ମଉଳା
ସତ୍ୟବାଦୀ ହରିଶ୍ଚନ୍ଦ୍ରମାନେ ସମୟ ସରିଗଲେ
ଅଜଣା ଅଶୁଣା ମୂକ ନାୟକ ସାଜନ୍ତି ବିକଳ
ପଶ୍ଚିମ ବୟସେ ପରା ନିଜ ଧର୍ମପତ୍ନୀ ପାଖରୁ
ସେଇ ସ୍ନେହ ପ୍ରେମ ଆଦର ପାଇବା କରାଳ
କୁହ ! କିଏ ବା ଅତୀତକୁ ପଚାରେ
କୁହ ! କିଏ ବା ପୂର୍ବ ବଳିଦାନକୁ ଝୁରେ
