ଖୁସିମନସ୍କ
ଖୁସିମନସ୍କ
କବିତା - ଖୁସିମନସ୍କ
ରଚନା - ପଞ୍ଚାନନ ଜେନା
ତାରିଖ -୩୦-୧୦-୨୦୨୫
+++++++++++++++
ଚାରି ଦିନର ପରା ଆମ ଜୀବନ
ସବୁ ସମୟରେ ହେବା ଖୁସିମନ
କାମଦାମରେ ବି ଖୁସି
ଆରାମ ବିଶ୍ରାମରେ ବି ଖୁସି
ଜାଣିଶୁଣି କାହିଁକି ହେବା ଦୁଃଖିଜନ ?
ଆଜି ମାଛ ମାଉଁସ ନାହିଁ, ଘାଣ୍ଟ ଭଜାରେ ବି ଖୁସି
ଆଜି ନଅ ତିଅଣ ନାହିଁ ,ଡ଼ାଲିପାଣିରେ ବି ଖୁସି
ଆଜି ଚାଉଳ ନାହିଁ ,ବାସି ପଖାଳରେ ବି ଖୁସି
ଜାଣୁଜାଣୁ କାହିଁକି କରିବା ଗର୍ଜନ ତର୍ଜନ ?
ଆଜି ସାଙ୍ଗଟେ ରାଗିଛି,ସେହି କଟୁକ୍ତିରେ ବି ଖୁସି
ଆଜି ଶ୍ରୀମତୀ ଗରଗର ,ସେହି ଆଡ଼ଋଷାରେ ବି ଖୁସି
ଆଜି ବାଇକ୍ ପମ୍ପଚର୍ ହେଲା ,ସେହି ଝାଳନାଳରେ ବି ଖୁସି
ବୁଝି ହେଉନି କାହିଁକି ଆସୁଛି ଏ ସବୁ ଦୁର୍ଦ୍ଦିନ ?
ଯାହାର ଦର୍ଶନ ମିଳୁନି , ତା'ର ଭିଡିଓରେ ବି ଖୁସି
ଯାହାକୁ ପାଇ ହେବନି ,ତା'ର ଭାବନାରେ ବି ଖୁସି
ଯାହାର ପ୍ରେମ ମିଳୁନି , ତା'ର ଅତୀତମନ୍ଥନରେ ବି ଖୁସି
ସମୟ ବଦଳିପାରେ ହେବାନି କାହିଁକି ଆଶାବାନ ?
ଯାହାର ଫୋନ ଲାଗୁନି ,ମ୍ୟାସେଜ୍ ଦେବାରେ ବି ଖୁସି
ବନ୍ଧୁମିଳନକୁ ଯାଇ ହେଲାନି ,ଛୋଟ ଉତ୍ତରରେ ବି ଖୁସି
ଗ୍ରୁପ୍ ରୁ ଜଣେ ଖସିଗଲା ,ତା'ର ସ୍ୱଇଚ୍ଛା ଭାବରେ ବି ଖୁସି
ସ୍ୱାଧୀନ ଆଚରଣ ବିଚରଣ ହେବ କାହିଁକି ଆଜ୍ଞାଧିନ ?
ସ୍ଵଳ୍ପ ସୀମିତ ରୋଜଗାର ,ସେହି ଟଙ୍କା ବଳୟରେ ବି ଖୁସି
ଅଧାଗଢ଼ା ଘର ପରିବାର ,ସେହି ଭଙ୍ଗା ଆଳୟରେ ବି ଖୁସି
ବନ୍ଧୁ ବାନ୍ଧବ ବହୁ ଉପରେ , ସେହି ମଧୁ ମଳୟରେ ବି ଖୁସି
ଅବସ୍ଥାଚକ୍ର ପରା ଘୂର୍ଣ୍ଣିବଳୟ ପରି ସନ୍ଧିହାନ ।
ଅତୀତ ସରିଛି ମରିଛି ,ତା'ର ମୀଠା ଚୁମ୍ବନରେ ବି ଖୁସି
ଭବିଷ୍ୟତ ଆଗତ ପ୍ରାୟ ,ତା'ର ସୁନେଲି ଆଲିଙ୍ଗନରେ ବି ଖୁସି
ଆଗାମୀ କାଲି ଅନିଶ୍ଚିତ , ତା'ର ଖିଆଲି ସସ୍ମୋହନରେ ବି ଖୁସି
କହୁଛନ୍ତି ସମୟ ପରା କ୍ଷଣ କ୍ଷଣ କେ ଆନ !
ହସନ୍ତ ସମୟ କ୍ଷଣସ୍ଥାୟୀ , ଘୁମନ୍ତ ଘଣ୍ଟାକଣ୍ଟାରେ ଖୁସି
ତେଲ ଲୁଣର ଜୀବନ , ଜଞ୍ଜାଳ କଟାଳ ରେ ବି ଖୁସି
ଅଭାବ ଅନାଟନର ଜୀବନ , ଦୁଃଖ ଦୈନ୍ୟରେ ବି ଖୁସି
କହି ରଖୁଛି କର୍ମମୟ ଜୀବନ ରଚିପାରେ କିର୍ତ୍ତିମାନ ।
