ଖୁସି ଗୀତ
ଖୁସି ଗୀତ
ମେଘୁଆ ମୁହଁ ବରଷା ଆଖି ପାରିବ ଯଦି ପଢ,
ସେଇ ଆଖିରେ ସପନ ଖୁନ୍ଦା ଜିତିବା ପାଇଁ ଗଡ଼
ଝିଅଟି ମନ ନକରି ଉଣା ସେହ୍ନ ଆଦରେ ଗଢ଼
ତା'ପାଇଁ ଦିନେ କଥା କହିବେ ଅଛନ୍ତି ଯେତେ ଜଡ।
ବିଶ୍ୱବ୍ରହ୍ମାଣ୍ଡେ ମାଆ ହିଁ ସାର ଅଟଇ ଧ୍ରୁବ ସତ୍ୟ
ଭଉଣୀ ଆମ ରାକ୍ଷୀର ହସ ଜାଣେ ସାରା ଜଗତ
ସହଧର୍ମିଣୀ ସହଗାମିନୀ ଜୀବନ ପଥେ ସେତ
ଝିଅ ଆମ ହସ ପସରା ଆମ ଘରର ଖୁସି ଗୀତ।
ନାରୀ ସିଏ ନାରାୟଣୀ ବି ସୃଷ୍ଟିର ମୂଳମନ୍ତ୍ର
ତା ପାଇଁ କିଆଁ ମନରେ ହୁଏ ବିତୃଷ୍ଣା ଜାତ !
ପଢ଼ାଇ ଗଢ଼ାଇ ବଢ଼ାଇ ତାରେ ଦିଅ ଗୋ ମିତ
ପୁଅଠୁ ବଳି ହୋଇଣ ସିଏ ବୁଝିବ ତୁମ ଚିତ୍ତ।
ଭୋଗ୍ୟ ନୁହେଁ କେବେରେ ସିଏ ନୁହେଁ ବି ପଣ୍ୟ
ମୂଳାଧାର ଏଇ ଭବର ମଣନା ତାକୁ ନଗଣ୍ୟ
ସୁରକ୍ଷିତ ସୁସ୍ଥ ପୃଥିବୀଟିଏ ତା'ର ହୁଏ କାମ୍ୟ
ପ୍ରକୃତି ସିଏ ପୁରୁଷ ହୋଇ ଜୀବନ ଆମ ଧନ୍ୟ।