Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଖୁଦୁରୁକୁଣୀ ବ୍ରତ

ଖୁଦୁରୁକୁଣୀ ବ୍ରତ

4 mins
161



ଜୟ ମା ମଙ୍ଗଳା ମାଗୋ ମଙ୍ଗଳ ମୟୀ

ମମତାର ପାରାବାର କରୁଣାମୟୀ।

ତୁମରି ଦୟାରେ ଯାଏ ବିପଦ ଟଳି

ଦୁଃଖ ହୁଏ ଦୂର ଦେଲେ ଆଶିଷ ଢାଳି।

ନାନା ରୂପେ ମାଆ ତୁମେ ପାଉଛ ପୂଜା

ଚଉଦିଗେ ଉଡେ ତୁମ ମଙ୍ଗଳ ଧ୍ବଜା।

ତୁମେତ ମହିମାମୟୀ ଖୁଦୁରୁକୁଣୀ

ଖୁଦ ପ୍ରିୟ ଜନନୀ ଗୋ ଦୁଃଖ ହାରିଣୀ।

ପବିତ୍ର ଭାଦ୍ରବ ମାସ ରବିବାର ରେ

କୁଆଁରୀମାନେ ପୁଜନ୍ତି ଭାବ ଭକ୍ତିରେ।

ଭାଇ ମାନଙ୍କ ମଙ୍ଗଳ ପାଇଁ ଭଉଣୀ

ମାଆଙ୍କ ପାଦରେ କରନ୍ତି ସେ ଦଇନୀ।

ସାଧବ ତନୟା ତଅପୋଇ ଯେ ସେତ

ମାଆଙ୍କ ଦୟାରୁ ଦୂର ହେଲା ତା କଷ୍ଟ।

ଅମା ଅନ୍ଧକାର ରାତି ଉଭେଇ ଗଲା

ସୁଖ ଦିନ ପୁଣି ତାର ଫେରି ଆସିଲା।

ଖୁଦୁରୁକୁଣୀ ପୂଜା ର ସେହି କାହାଣୀ

ମାଆଙ୍କ ମହିମା ସେତ ଯାଏ ବଖାଣୀ।

ଅଲିଅଳି ତଅପୋଇ ଭାରି ଗେହ୍ଲେଇ

ସାତ ଭାଇରେ ଗୋଟିଏ ଭଉଣୀ ସେହି।

ସାଧବ ଘରର ରଙ୍କ ପସରା ସେହି

ସଭିଙ୍କର ଭାରି ଗେହ୍ଲା ଭାରି ସିନେହି ।

ଯେତେବେଳେ ଯାହା ସିଏ ଅଳି କରଇ

କଥା ନସରୁଣୁ ସବୁ ତାକୁ ମିଳଇ।

ବିଚାରା ବିହି ତାର ମନ୍ଦ ହୋଇଲା

ସୁନା ଚାନ୍ଦ ପାଇଁ ସିଏ ଅଳି କରିଲା ।

କଥା ରଖି ତାର ଚାନ୍ଦ ଗଢା ହୋଇଲା 

ଚାନ୍ଦ ଗଢା ସହ ମନ୍ଦ ବେଳ ଆସିଲା ।

ଅଧା ଚାନ୍ଦେ ବାପା ତାର ଆଖି ବୁଜିଲେ

ପୂରା ଚାନ୍ଦେ ମାଆ ଆର ପୁରକୁ ଗଲେ ।

ବିଚାରା ତଅପୋଇ କପାଳକୁ ନିନ୍ଦି

ବାପା ମାଆଙ୍କୁ ଝୁରିଲା ସେ କାନ୍ଦିକାନ୍ଦି।

ଭାଇ ଭାଉଜ ଙ୍କ ସ୍ନେହ ଶରଧା ସେତ

ଦୁଃଖ କୁ ସାଧବ ବାଳୀ ଭୁଲି ଗଲାତ।

ତହୁଁ ଭାଇମାନେ ତାର ବଣିଜ ପାଇଁ

ଦରିଆ ସେପାରି ଗଲେ ବୋଇତ ନେଇ ।

ତଅପୋଇ ସରଗର ଅପ୍ସରୀ ଥିଲା

ମଣିଷ ରୂପେ ମର୍ତ୍ତ୍ୟେ ଜନ୍ମ ହୋଇଥିଲା।

ସେଲାଗି ଥିଲା ସେତ ଅପୂର୍ବ ସୁନ୍ଦରୀ

ରୂପ ଗୁଣକୁ ତାର କିଏ ହେବ ସରି।

ଭାଇମାନେ ଗଲେ ତ ବଣିଜ ବେପାରେ

ଭାଉଜମାନେ ଥିଲେ ନଣନ୍ଦ ସେବାରେ।

 ସାତ ଭାଉଜଙ୍କ ମେଳେ ଗେହ୍ଲି ନଣନ୍ଦ 

ତଳେ ଲାଗୁ ନଥିଲା ତ ତାହାର ପାଦ ।

ଦୋଳିରେ ବସାଇ ତାକୁ ଝୁଲାଉ ଥିଲେ

ଝିଅ ଠାରୁ ବେଶି ସ୍ନେହ ସେ କରୁଥିଲେ।

ସ୍ବର୍ଗେ ତଅପୋଇର ଥିଲା ସଉତୁଣୀ

ତଅପୋଇ ସୁଖ ସେ ସହିପାରିଲାନି।

ବିଧବା ବ୍ରାହ୍ମଣୀ ସାଜି ସେତ ଆସିଲା

ତଅପୋଇ ପାଇଁ କାଳ ସର୍ପ ସାଜିଲା।

ସାଧବ ବୋହୁ ମାନଙ୍କ କାନେ ବ୍ରହ୍ମଣୀ

ତଅପୋଇ ବିରୁଦ୍ଧ ରେ କହେ ବଖାଣୀ ।

ତୁମେମାନେ କରୁଅଛ ଘର ପାଇଟି

ରାଜା ଜେମା ଦୋଳିରେତ ଝୁଲୁଛି ନିତି।

କୁଟା ଖଣ୍ଡକ ଦିଖଣ୍ଡ କରୁନି ସିଏ

ତୁମ ମାନଙ୍କୁ ଖାଲି ସେ ହୁକୁମ ଦିଏ ।

ବୟସରେ ତୁମଠାରୁ ଅଟେ ସେ ସାନ

ତୁମ କୁ କରୁଛି ସେତ କି ହୀନିମାନ।

ଏବେତ ଏମିତି ସିଏ ଦିଏ ହୁକୁମ

ଲେଉଟିଲେ ଭାଇ ହେବ ସେ ତୁମ ଜମ।

ଖଚମିଛ ନିଶ୍ଚେ ତୁମ ନାମରେ କହି

ଶାସ୍ତି ଦେବ ତୁମକୁ ତ ନିଶ୍ଚୟ ସେହି ।

ଘିଅ ଦୁଧ ଦେଇ ତୁମେ ସାପ ପୋଶୁଛ

ନିଜ ପାଇଁ ବିପଦକୁ ନିଜେ ଡାକୁଛ ।

ଶୁଣି ସାଧବ ବୋହୁ ସେ ବ୍ରହ୍ମଣୀ କଥା

ସତେକି ବଢ଼ିଲା ତାଙ୍କ ମୁଣ୍ଡ ର ବ୍ୟଥା ।

ବଡ ବୋହୁ ପଚାରିଲା ଆଗୋ ବ୍ରାହ୍ମଣୀ

ଏଥୁ ନିସ୍ତରିବା ବାଟ କୁହ ବଖାଣୀ।

ବିଧବା ବ୍ରାହ୍ମଣୀ ମନେମନେ ହସିଲା

ତଅପୋଇ ଦୁଃଖ ଦିନ ଏବେ ଆସିଲା ।

ବ୍ରହ୍ମଣୀ କହିଲା ଶୁଣ ସାଧବ ବୋହୁ 

ଗହଣା ଓହ୍ଲାଇ ଦିଅ ନଣନ୍ଦ ଦେହୁ।

ବଣକୁ ପଠାଅ ତାକୁ ଚାରାଉ ଛେଳି

ଦିନରାତି ତାର ସବୁ ଯାଉ ବଦଳି।

ଛଅ ବୋହୁଙ୍କ ମନକୁ କଥାଟି ଗଲା

ସାନ ବୋହୁ ନୀଳାଦ୍ରି ଯେ ଦୁଃଖୀ ହୋଇଲା।

ନଣନ୍ଦ କୁ ପାଉଥିଲା ସେ ଭାରିଭଲ

ବଡ ମାନଙ୍କୁ ସେ କିବା ଦେବ ଉତ୍ତର।

ଛଅ ସାଧବାଣୀ ଏବେ ହାତ ମିଶାଇ

ତଅପୋଇକୁ ଦୋଳିରୁ ଦେଲେ ଓହ୍ଲେଇ।

ଅଳଙ୍କାର ତାର ସବୁ କାଢି ଯେ ନେଲେ

ଛିଣ୍ଡା ଲୁଗା ପିନ୍ଧିବାକୁ ତାକୁ ଯେ ଦେଲେ।

ଗୁହାଳ ଘରେ ଯାଇ ସେତ ଶୋଇଲା

ଛେଳି ନେଇ ନିତି ସିଏ ବଣକୁ ଗଲା।

ଖାଇବାକୁ ଦେଲେ ନାହିଁ ମୁଠାଏ ଭଲ

ଅଲିଅଳି ଜେମା ହେଲା ସେ କଲବଲ।

ଲୁଚେଇ ଲୁଚେଇ ତାର ସାନ ଭାଉଜ

ବୁଝଇ ତଅପୋଇର ମନ ଦରଜ।

ଭଲକରି ଗଣ୍ଡେ ଦିଏ ଖାଇବା ପାଇଁ

ନୁଖୁରା ମୁଣ୍ଡକୁ ତାର ଦିଏ କୁଣ୍ଢେଇ।

ଏମିତି ଦିନ କେତେ ବିତିଯେ ଗଲା

କାନ୍ଦିକାନ୍ଦି ତଅପୋଇ ଦିନ ସରିଲା ।

ଘରମଣି ବୋଲି ଥିଲା ଛେଳି ଛୁଆଟି

ବଡବୋହୁ ତାକୁ ଭାରି ଭଲ ପାଏଟି ।

ଦିନେ ଘରମଣି ଗଲା ଜଙ୍ଗଲେ ହଜି

ପାଇଲାନି ତଅପୋଇ ତାକୁ ତ ଖୋଜି ।

ବଡବୋହୁ ଯେବେ ଏଇ କଥା ଜାଣିଲା

ଘରୁ ତଅପୋଇକୁ ସେ ତଡ଼ି ଯେ ଦେଲା।

କହିଲା ଘରମଣି କୁ ଖୋଜ ତୁ ଯାଇ

ନହେଲେ ଦେବିନି ତୋତେ ଘରେ ପୁରାଇ।

ବିଚାରା ଯେ ତଅପୋଇ ବଣକୁ ଗଲା

ଘରମଣିକୁ ଜଙ୍ଗଲେ ଖୋଜି ବୁଲିଲା ।

ଘରମଣି ଘରମଣି ଡାକଇ ସିଏ

ତା ଡାକକୁ କୁହ ଅବା ଶୁଣିବ କିଏ !

ଘୋର ବନେ ଏକାଏକା ବୁଲଇ ବାଳି

ନରମ ପାଦେ ତା କଣ୍ଟା ଯାଏରେ ଗଳି ।

ପାଦରେ ରକତ ଧାର ମନରେ ଡର

ପେଟରେ ଭୋକର ଜ୍ବଳା କରେ ଅସ୍ଥିର।

ସଞ୍ଜ ଗଡିଯାଇ ଯେବେ ରାତି ଆସିଲା

ଭୟରେତ ତଅପୋଇ ଛାତି ଥରିଲା ।

ଏମିତି ସେ ବୁଲୁବୁଲୁ ଦୂରୁ ଦେଖିଲା

ମିଞ୍ଜି ମିଞ୍ଜି ଦିଶୁଅଛି ଆଲୁଅ ଭଲା ।

ଆଲୁଅ କୁ ଚାହିଁ ଚାହିଁ ସେତ ଚଳିଲା

ଦୀପଟିଏ ଜଳୁଥିଲା ଯାଇ ଦେଖିଲା।

ଦୀପ ଚାରିପଟେ ବସି କୁଆଁରୀମାନେ

ଦେବୀ ପୂଜା କରୁଥିଲେ ଭକତି ମନେ।

ଖୁଦୁରୁକୁଣୀ ସେ ଦେବୀ ମଙ୍ଗଳା ମାତା

ଭକ୍ତିରେ ଡାକିଲେ ସିଏ ଶୁଣନ୍ତି କଥା ।

ତଅପୋଇ ମାତାଙ୍କୁ ଯେ ପ୍ରଣାମ କଲା

ଲୁହ ଢାଳି ମନକଥା ତାଙ୍କୁ କହିଲା ।

ଦିଅ ମା ଫେରାଇ ମୋର ଘରମଣି କୁ

ନହେଲେ ପାରିବି ନାହିଁ ଫେରି ଘରକୁ।

ବଡ ଭାଉଜଙ୍କ ଗାଳିମାଡକୁ ଡର

ଜଙ୍ଗଲ ରେ ହାରିବି ମୁଁ ଜୀବନ ମୋର ।

ଆଖିରୁ ତା ଝରୁଥିଲା ଆଖିଏ ଲୁହ

ବୁକୁରେ ତା ବୁକୁଫଟା ଅକୁହା କୋହ।

ତଅପୋଇର ତ ସେହି ଦୁଃଖ କାହାଣୀ

ମାଆଙ୍କର ହୃଦୟ କୁ ପାରିଲା ଜିଣି।

ଖୁଦୁରୁକୁଣୀ ହୋଇଲେ ତାପରେ ତୋଷ

ଢାଳିଦେଲେ ମାଆ ତାଙ୍କ ଶୁଭ ଆଶିଷ।

କାହିଁ ଥିଲା ଘରମଣି ଆସିଲା ଫେରି

ତଅପୋଇ ମନଗଲା ଆନନ୍ଦେ ପୁରି ।

ମାଆ ଙ୍କ ପାଦରେ କରି ସେ ପ୍ରଣିପାତ

ଭକ୍ତିରେ କରିଲା ଖୁଦ ରଙ୍କୁଣୀ ବ୍ରତ।

ଏମିତି ବିତିଯେ ଗଲା ଦିନ ଅନେକ

ଅନ୍ତ ହେଲାନାହିଁ ତଅପୋଇର ଦୁଃଖ।

ଭାଇମାନେ ଆସିଲେନି ବିଦେଶୁ ଫେରି

ତଅପୋଇ ଦିନକାଟେ ଭାଉଜେ ଡରି ।

ମୂଷା ମାଟି ମିଶା ଭାତ ନିଇତି ଖାଏ

ଗୁହାଳ ଘରେ ଯାଇ ସେ ରାତିରେ ଶୁଏ।

ଦିନରେ ଛେଳି ଚରାଏ ଜଙ୍ଗଲେ ଯାଇ

ମାଆ ମଙ୍ଗଳାଙ୍କୁ ମନେ ସୁମରେ ସେହି।

କିଛିଦିନ ପରେ ସାତ ସାଧବ ଭାଇ

ଲେଉଟି ଆସିଲେ ସାରି ବେପାର ସେହି ।

କୂଳରେ ବୋଇତ ଯେବେ ଆସି ଲାଗିଲା

କାନ୍ଦୁଛି ରମଣୀ କାହିଁ କାନେ ବାଜିଲା ।

ସେ କାନ୍ଦଣା ଶବଦ କୁ କାନରେ ବାରି

ସାନ ସାଧବ ଖୋଜିଲା କାହିଁ ସେ ନାରୀ !

ପାଖକୁତ ଯାଇ ସିଏ ଯାହା ଦେଖିଲା

ଦୁଃଖ ରେତ ଛାତି ତାର ଥରି ଉଠିଲା।

ତଅପୋଇ ଅଲିଅଳି ଭଉଣୀ ତାଙ୍କ

ବିହି ସତେ ତା ପାଇଁକି ହୋଇଲା ବାଙ୍କ।

ଚିରା ଫଟା ପିନ୍ଧା ବାସ ନୁଖୁର‌ା କେଶ

ଭିକାରୁଣୀ ପରି ତାର ଇଏକି ବେଶ ।

ଭାଇଙ୍କୁ ପାଖରେ ପାଇ ସାଧବ ବାଳୀ

ପାରିଲାନି କୋହକୁ ତା ଆଉ ସମ୍ଭାଳି।

ଆଉ ଛଅ ଭାଇ ଆସି ତହିଁ ମିଳିଲେ

ଅଲିଅଳି ଭଉଣୀ ର ଦୁଃଖ ଦେଖିଲେ।

ଭଉଣୀ ଠୁ ସବୁକଥା ଶୁଣି ସେମାନେ

ନିଜକୁ ଧିକାର କଲେ ସେ ଭାଇମାନେ।

ବୋଇତ ଆସିଛି ଫେରି ସମ୍ବାଦ ପାଇ

ସାଧବାଣୀ ଆସିଲେତ କୂଳକୁ ଧାଇଁ।

ଭାଇମାନେ ପଚାରିଲେ ପତ୍ନୀ ଙ୍କୁ ଚାହିଁ

କାହିଁ ଗଲା ତଅପୋଇ ଆସିଲା ନାହିଁ?

ଡରିଡରି ବଡ ବୋହୁ କହିଲା ଯାଇ

ଭଲ ନାହିଁ ଦେହ ବୋଲି ଆସିନି ସେହି ।

ତହୁଁ ବଡ଼ ସାଧବ ଯେ କହିଲେ ଶୁଣ

ବୋଇତେ ଅଛନ୍ତି ଆମ ଇଷ୍ଟ ଯେ ଜାଣ।

ଜଣେ ଜଣେ କରି ତାଙ୍କୁ ବନ୍ଦାଅ ଯାଇ

ଧୂପଦୀପ ଜାଳି ଆସ ତାଙ୍କୁ ବନ୍ଦେଇ।

ବନ୍ଦାପନା ପାଇଁ ସାଧବାଣୀ ଯେ ଗଲେ

ଦେବୀଙ୍କୁ ଦେଖି ସେଠାରେ ଛାନିଆ ହେଲେ।

ବୋଇତ ରେ ଲୁଚିଥିଲା ସାଧବ ବାଳି

କାଟିଲା ଭାଉଜ ଙ୍କର ନାକ ବଉଳୀ ।

ସାନ ଭାଉଜ ତ ଯେବେ ଶେଷେ ଆସିଲା

ତଅପୋଇ ଖୁସିରେ ତ କୋଳେଇ ନେଲା ।

ନାକେଇ ଭାଉଜ ମାନେ ବନେ ଚଳିଲେ

ନିଜ କଲା କରମକୁ ନିଜେ ନିନ୍ଦିଲେ।

ସାନ ଭାଉଜ ସାଥିରେ ତଅପୋଇଯେ

ଫେରିଲା ଘରକୁ ସେତ ଖୁସି ମନେ ଯେ।

ମାଆ ଖୁଦୁରୁକୁଣୀ ଙ୍କ ଅସୀମ ଦୟା

ତଅପୋଇ କୁ ମାଆ ହୋଇଲେ ସାହା।

ଭକତିରେ ସେତ ଯେଣୁ ବ୍ରତ ପାଳିଲା

ସୁଖ ଦିନ ତାର ଯେ ଲେଉଟି ଆସିଲା।

ସେହି ଦିନରୁ ଖୁଦୁରୁକୁଣୀ ଓଷାଟି

ସାରା ରାଇଜ କୁ ଆମ ଯାଇଛି ବ୍ୟାପି।

ପବିତ୍ର ଭାଦ୍ରବ ମାସ ରବିବାରେ ଟି

କୁଆଁରୀମାନେ ମିଶି ଏ ବ୍ରତ କରନ୍ତି।

ଭକତିରେ ମାଆଙ୍କୁ ସେ ପୂଜା କରନ୍ତି

ଦୟାମୟୀ ସଭିଙ୍କର କଥା ଶୁଣନ୍ତି।



Rate this content
Log in

Similar oriya poem from Classics