ଖେଦୋକ୍ତି
ଖେଦୋକ୍ତି
ମନର ଗୋଟେ ପାଖ ଜଳୁଛି କୁହୁଳି
ଆଉ ଗୋଟେ ପାଖ ମିଛେ ହସ ଦିଏ ଢାଳି
କେମିତି କହିବ,କାହାକୁ କହିବ
ବିଚରା ମନଟା ହଉଥାଏ ଭାଳି(୧)
ହୃଦୟଟା ନିରୀମାଖି କରେ ଅଭିମାନ
ସହି ପାରେନାହିଁ ବୋଲି ଅନ୍ତର ଦହନ
ଦେଖିହୁଏ ନାହିଁ ଅବା ଦେଖେଇ ପାରେନି ବୋଲି
ନିତିନିତି କରୁଥାଏ ଛଟପଟ ପ୍ରାଣ..(୨)
ଅଜବ ଦରଜ ବାନ୍ଧେ କୋହ ଭଣ ଭଣ
ଲୁହ ହେଇ ଝରିବାକୁ ହୁଅଇ ଉଚ୍ଛନ୍ନ
ହେଲେ ବି ଅଧୀର ଲୁହ ବରଫ ଜମାଟେ
ବହିପାରେ ନାହିଁ ବେଗେ ଛୁଇଁ ଆଖି କୋଣ..(୩)
ଓଠର ସେ ଦୋଷ ଥିଲା ଅଛି ବି ରହିବ
ଅନ୍ତର ଭାବନା ସହଜେ କହି ନ ପାରିବ
ଗହନ ତା ଶବ୍ଦ ପଛ ଚିତ୍ରପଟ୍ଟ ମୁଖା
କେବଳ ସେ ଶବ୍ଦ ସ୍ୱରେ କେହି ନ ବୁଝିବ..(୪)
ବୁଝନ୍ତିନି କେହି ବୋଲି ଯନ୍ତ୍ରଣା ବିଳାପ
ଏକାନ୍ତରେ ନିଜ ସହ କରଇ ଆଳାପ
ସେ ଆଳାପ ସୃଷ୍ଟି କରେ କବିତା ସାମ୍ରାଜ୍ୟ
ଯେ ସାମ୍ରାଜ୍ୟେ ହଜିଗଲେ ଆହା ମିଳେ ସ୍ୱଳ୍ପ..(୫)