କେଉଁ ପାପ କଲେ କି ରୋଗ ହୁଏ
କେଉଁ ପାପ କଲେ କି ରୋଗ ହୁଏ
ବେଳେବେଳେ ମନେ ଜାଗଇ ସେହି ଗୋଟିଏ ପ୍ରଶ୍ନ
କାହିଁକି ମଣିଷ ଭୋଗୁଛି ଏତେ ଦୁଃଖ କଷଣ।
ଜାତିଜାତି ରୋଗ ବେମାରୀ କିମ୍ପା ଗ୍ରାସ କରନ୍ତି
ଧନୀ ହୁଅନ୍ତୁ ବା ଗରିବ କଲବଲ ହୁଅନ୍ତି।
ଗଦାଗଦା ଟଙ୍କା ପାଖରେ ଥାଇ କିଲାଭ ହେବ
ଜୀବନ ଟା ସାରା ଯିଏତ ଖାଲି ଭୋଗଇ ରୋଗ ।
ମଣିଷ ମନର ପ୍ରଶ୍ନକୁ ଚିନ୍ତି ଗରୁଡ଼ ପକ୍ଷୀ
ପଚାରିଲେ ନାରାୟଣ ଙ୍କୁ ଦିନେ ସେ ଖଗପତି।
କର୍ମ ଫଳ ଭୋଗେ ମଣିଷ ବିଷ୍ଣୁ କହିଲେ ହସି
ପାପ ପାଇଁ ତାର ଜୀବନେ ହୁଏ ଯାତନା ନେସି।
ସୁଖ ପାଇବାର ଆଶାରେ ମନ୍ଦ କାମ କରିଣ
ଜନ୍ମ ଜନ୍ମାନ୍ତରେ ମଣିଷ ଭ୍ରମେ ପାପ ଭାରେଣ।
କେଉଁ କାମ କଲେ ମଣିଷ ପାପ ଭାର ବୁହଇ
ପଚାରନ୍ତି ଏବେ ଗରୁଡ଼ ପ୍ରଭୁ ଦିଅ ବୁଝାଇ ।
ପାପ ତାପ କୋପ କଥାଟି ପକ୍ଷୀ ରାଜନ ଶୁଣ
ଗୋଟି ଗୋଟି କରି କହନ୍ତି ପ୍ରଭୁ ଶ୍ରୀ ନାରାୟଣ।
କେଉଁ କର୍ମ କଲେ ଅଚିରେ ହୁଏ ଧରମ ନଷ୍ଟ
ପାପ ଅରଜନ କରିଣ ଲୋକେ ଭୋଗନ୍ତି କଷ୍ଟ।
ପର ଧନ ପ୍ରତି ମନରେ ଯିଏ ଆଶା ରଖନ୍ତି
ଜାଣି ଶୁଣି ସେହି ପ୍ରଣୀ ତ ଆହା ପାପ ଅର୍ଜନ୍ତି ।
ସେତ ବିନା ପରିଶ୍ରମରେ ଯେଉଁ ଧନ ଅର୍ଜନ
ଧନ ନୁହେଁ ସେତ ଜୀବନ ପାଇଁ ଦୁଃଖ ଅର୍ଜନ।
ଅନ୍ୟାୟ ଅନୀତି ଉପାୟେ ଯିଏ ଧନ ଅର୍ଜନ୍ତି
ସବୁଠାରୁ ମହାପାପ ଯେ ସେହି ଜନ କରନ୍ତି।
ଯାହା ନକରିବା ଉଚିତ ଯଦି ତାହା କରିବ
ସେହି କରମ ତ ପାପ ରେ ତୁମ ହିସାବ ହେବ।
ଯେଉଁ କର୍ମ କଲେ ଅନ୍ୟକୁ ପରା କଷ୍ଟ ଲାଗଇ
ସେହି କର୍ମ କଲେ ପାପ ରେ ତାହା ଗଣା ହୁଅଇ।
ଜୀବ, ଆତ୍ମା ପରମାତ୍ମା ରେ ଯଦି ଶ୍ରଦ୍ଧା ନରଖ
ଶାରୀରିକ ସୁଖ ସର୍ବସ୍ବ କାର୍ଯ୍ଯ ଅଟଇ ପାପ ।
ପର ନିନ୍ଦା ପର ଚର୍ଚ୍ଚା ତ ହୁଏ ପାପରେ ଗଣା
ମନ୍ଦ କଥା ମନେ ଚିନ୍ତିଲେ ପାପ କରଇ ବଣା ।
ପର ପାଇଁ ଗାତ ଖୋଳିବା ଅଟେ ସେ ମହାପାପ
ପର ଦୁଃଖ ଦେଖି ହସିଲେ ବଢେ ପାପ ର କୋପ ।
ନିଚ୍ଚ ଭାବି ଯଦି କାହାକୁ କିଏ କରଇ ଘୃଣା
ପାପିଙ୍କ ମଧ୍ୟରେ ପ୍ରଥମେ ସିଏ ହୁଅଇ ଗଣା ।
ଗୁରୁ ଗୁରୁଜନ ବ୍ରାହ୍ମଣେ ନକରିଲେ ସମ୍ମାନ
ପାପ ର ଭାର ତ ସହଜେ ବଢ଼ି ଯାଏ ରେ ଜାଣ ।
ପିତାମାତା ସେତ ସବୁଠୁ ବଡ ଦିଅଁ ଦେବତା
ଅବହେଳା କଲେ ତାଙ୍କର ପାପ ହୁଏ ସାଇତା ।
ଦୁର୍ବ୍ୟବହାର ତ କରଇ ନାରୀ ମାନଙ୍କୁ ଯିଏ
ଘୋର ପାପ ତାପ କପାଳେ ତାର ଲଖାଯେ ହୁଏ ।
ଜନନୀ ଯଠରୁ କରଇ ଯିଏ ଭୃଣ ହତ୍ୟାଟି
ଜଘନ୍ୟ ପାପରେ ସେ ପରା ନିଶ୍ଚେ ହୁଅଇ ଘାଣ୍ଟି।
ପଶୁପକ୍ଷୀ ପ୍ରତି ନିର୍ଦ୍ଦୟ ଯେଉଁ ଜନ ହୁଏ ଟି
ପ୍ରତି ପାଦେ ପାଦେ ପାପ ଯେ ତାର ବଢ଼ି ଯାଏ ଟି ।
ଗଛଲତା କାଟି କୁଟି ଯେ ପଦା କରି ଦିଅଇ
ମହାପାପିଙ୍କର ମଧ୍ୟରେ ସେତ ଗଣା ହୁଅଇ।
ପାପ କଥା ଶୁଣି ଗରୁଡ଼ ପଚାରନ୍ତି ପ୍ରଭୁ ଙ୍କୁ
ପାପ ର ଫଳ କି ମିଳଇ ପ୍ରଭୁ କୁହ ସଭିଙ୍କୁ।
ପ୍ରଭୁ ଯେ କୁହନ୍ତି ଶୁଣ ହେ ତ୍ରେତୟା ର କଥାଟି
ଶୁଣିଲେ ପାଇବ ଗରୁଡ଼ ତାର ଉତ୍ତର ଗୋଟି ।
ରାମ ଅବତାରେ କରିଲି ମୁଁ ଯେ କର୍ମ ଏମିତି,
ଦ୍ବାପର ଯୁଗରେ ଭୋଗିଲି ତାର ପରିଣାମ ଟି ।
ତ୍ରେତୟା ଯୁଗରେ ସୁଗ୍ରୀବ ମୋର ବନ୍ଧୁ ହୋଇଲେ
ଭାଇ ତାଙ୍କ ବାଳୀ ରାଜ୍ୟରୁ ତାଙ୍କୁ ତଡ଼ିଯେ ଥିଲେ।
ରାଜ୍ଯ ଆଉ ପରିବାରକୁ ସୁଗ୍ରୀବ ଯେ ହରାଇ
ବୁଲୁଥିଲେ ଘୋର ବନରେ ନିଃସହାୟ ସେ ହୋଇ।
ସୀତାଙ୍କୁ ଖୋଜିବା ସମୟେ ତାଙ୍କ ଭେଟ ମିଳିଲା
ତାଙ୍କ ସାଥେ ତହିଁ ମୋହର ମିତ୍ରତା ଯେ ହୋଇଲା ।
ସୁଗ୍ରୀବ ଙ୍କୁ ନାୟ ଦେବାକୁ ବାଳୀ ସାଥିରେ ଯୁଦ୍ଧ
କୁଟ କପଟ ଯେ କରିଣ କଲି ମୁଁ ବାଳୀ ବଦ୍ଧ।
ମିତ୍ର ପାଇଁ କରିଥିଲି ମୁଁ ଏହି କୁଟ କପଟ
ଜାଣିଥିଲି ମୋତେ ମିଳିବ ତାର ଫଳ ନିଶ୍ଚିତ।
ଦ୍ବାପର ଯୁଗରେ ଏହାର ଫଳ ମୋତେ ମିଳିଲା
ବାଳୀ ପୁତ୍ର ଶରାଘାତରେ ମୋର ଜୀବନ ଗଲା ।
ବାଳୀ ପୁତ୍ର ବୀର ଅଙ୍ଗଦ ସେତ ଦ୍ବାପର ଯୁଗେ
ଜନ୍ମ ନେଇଥିଲା ଧରାରେ ଜାରା ଶବର ଭାବେ ।
ଦିନେକ ମୁଁ ଘୋର ଜଙ୍ଗଲେ ନେଉଥିଲି ବିଶ୍ରାମ
ଶିକାର ପାଇଁକି ଜାରା ଯେ ବୁଲୁଥିଲା ସେ ବନ।
ପାଦ ଯୋଡିକୁ ମୋ ଦେଖିସେ ମୃଗ କାନ ଭାବିଲା
ଶର ପେଶି ମୋର ପାଦକୁ ମୋର ଜୀବନ ନେଲା ।
ଗରୁଡ଼ କହିଲେ ପ୍ରଭୁହେ ଧନ୍ୟ ଲୀଳା ଭିଆଣ
ନିଜ କର୍ମ ଫଳ ନିଜେ ହେ ପୁଣି ଭୋଗ ଆପଣ ।
ପୁଣି ପଚାରିଲେ କଥାଟି ପ୍ରଭୁ ଙ୍କୁ ସେ ଯେ ଚାହିଁ
କେତେ ଜନ୍ମ ଯାଏ ପାପ ର ଅନ୍ତ ହୁଅଇ ନାହିଁ?
ଗରୁଡ଼ ଙ୍କ ପ୍ରଶ୍ନ ଉତ୍ତର ମହାଭାରତ କଥା
ପ୍ରଭୁ ବଖାଣି ଲେ ସଧୀରେ ସେତ ହଲାଇ ମଥା ।
ଶତ ପୁତ୍ର ଯୁଦ୍ଧେ ହରାଇ ଗାନ୍ଧାରୀ ଙ୍କ ରୋଦନ
ସାନ୍ତ୍ଵନା ଦିଅନ୍ତି ତାହାଙ୍କ ପାସେ ମିଳିଣ କୃଷ୍ଣ।
କୃଷ୍ଣ ଙ୍କୁ ଗାନ୍ଧାରୀ କହିଲେ ଆହେ କଳା କହ୍ନାଇ
କାହିଁକି ମୋଶତ ପୁତ୍ରଙ୍କୁ ଯୁଦ୍ଧେ ଦେଲ ଯରାଇ ?
କି ଲୀଳା କରିଲ ଭିଆଣ ଲୀଳାମୟ ହେ ତୁମେ
ପୁତ୍ର ହରା ହୋଇ ଭୋଗୁଛି ଦୁଃଖ ଯାତନା ମୁଁ ଯେ।
କୃଷ୍ଣ କହିଲେ ଯେ ଅଷ୍ଟମ ଜନ୍ମ ପୂର୍ବର କଥା
ବୁଝି ପାରିଲନି ମାଆ ର ଆହା ମରମ ବ୍ୟଥା।
ସମୁଦ୍ର କୂଳରେ ଦିନେକ ତୁମେ ବୁଲୁଥିଲ ଟି
କଇଁଛଙ୍କ ଅଣ୍ଡା ଦେଖିଣ ଭାରି ଖୁସି ହେଲଟି ।
ଶହଶହ ଅଣ୍ଡା ପାଦରେ ତୁମେ ଦେଲ ତ ଦଳି
ତାର ପରିଣାମ ଦୁଃଖ ରେ ଆଜି ଝୁରୁଛ ଜଳି ।
ଅଷ୍ଟମ ଜନ୍ମ ର କରମ ଫଳ ଭୋଗିବା କଥା
ଶୁଣି ବିଚଳିତ ହୋଇଲା ପକ୍ଷୀରାଜ ଙ୍କ ମଥା।
କର୍ମ ଜାଣି ଫଳ ଲେଖିଛି ପ୍ରତି କପାଳେ ବିହି
କପାଳ ଲିଖନ ଅନ୍ୟଥା କେବେ ହୁଅଇ ନାହିଁ।
ପୁଣି ପଚାରନ୍ତି ଗରୁଡ଼ ପ୍ରଭୁ ଦିଅ ବୁଝାଇ
କେଉଁ ପାପ କଲେ କି ରୋଗ ଭୋଗେ ମଣିଷ ଏଇ।
କେଉଁ ପାପ ପାଇଁ କି ରୋଗ ପ୍ରଭୁ କହିଲେ ସେତ
ବ୍ରହ୍ମ ହତ୍ୟା ପାପ କରିଲେ ଯକ୍ଷ୍ମା ରୋଗେ ପୀଡ଼ିତ ।
ଗୋହତ୍ୟା କରିଣ ମଣିଷ ଯେଉଁ ପାପ କରଇ
ଫଳ ସ୍ବରୂପ ତ ପାପି ଯେ କୁଷ୍ଠ ରୋଗ ଭୋଗଇ ।
କୁଷ୍ଠ ସେ ଏମିତି ବେମାରୀ ସ୍ନାୟୁ ହୁଏ ଅବଶ
ହାତ ପାଦ ଛିଡି ଯାଅଇ ରୋଗୀ ହୁଏ କୁ ରୂପ।
ଗୁରୁଙ୍କ ପତ୍ନୀଙ୍କୁ ହରଣ ଯେଉଁ ଜନ କରଇ
ପର ଜନ୍ମେ ନପୁଂସକଯେ ହୋଇଥାଏ ରେ ସେହି।
ଜନନୀ ଯଠରୁ କ'ନ୍ଯା ଭୃଣ ହତ୍ୟା କଲେ ଟି
ଦେହ ସାରା ଯାଦୁ କୁଣ୍ଡିଆ ତାର ମାଡ଼ିଥାଏ ଟି।
ଶାଶୁଶଶୁର ଙ୍କୁ ହେଳା ତ ଯେଉଁ ନାରୀ କରନ୍ତି
ଗଳଗଣ୍ଡ ରୋଗେ ସେ ନାରୀ ହନ୍ତସନ୍ତ ହୁଅନ୍ତି।
ଗୁରୁଙ୍କର ନିନ୍ଦା କରିଲେ ସାରା ଦେହକୁ ସେତ
ଜାତି ଜାତି ରୋଗ ବ୍ୟାଧି ଯେ ଦେଇ ଥାଆନ୍ତି କଷ୍ଟ।
ବିଚାର ସମୟେ ଯିଏତ ମିଥ୍ୟା ଶାଖି ଦିଅନ୍ତି
ବୟସ ବଳେଇ ପଡ଼ିଲେ ସିଏ ମୁକ ହୁଅନ୍ତି।
ଗୁରୁ ଗୁରୁ ଜନେ ଯେ ଜନ ପଦାଘାତ କରନ୍ତି
ସମୟ ରୁହଇ ଶାଖି ଯେ ସିଏ ପଙ୍ଗୁ ହୁଅନ୍ତି।
ଯେଉଁ ପୁତ୍ରମାନେ କରନ୍ତି ପିତାମାତାଙ୍କୁ ହେଳା
ବଳେଇ ପଡଇ ତାଙ୍କର ଆହା ଜୀବନ ଜ୍ଵଳା।
ଏଜନମୁ ପର ଜନମ ଯାଏ ସରେନି ଦୁଃଖ
ଧନ ଥାଏ ତାଙ୍କ ପାଖରେ ହେଲେ ନଥାଏ ସୁଖ।
ପକ୍ଷଘାତ ପରି ରୋଗରେ ସେତ ପୀଡିତ ହୋଇ
ଷଢି ଷଢି ଯାଏ ଜୀବନ ତାଙ୍କ ଲୁହ ଗଡ଼େଇ।
କର୍ମଫଳ ଅନୁସାରେ ତ ହୁଏ ପାପ ଅର୍ଜନ
ପାପ ଅନୁସାରେ ଭୋଗ ଯେ ରୋଗ ଯାତନା ଜାଣ।
ପ୍ରଭୁ ଙ୍କ ମୁଖରୁ ଶୁଣିଣ ଏହି ଅମୃତ କଥା
ତୋଷ ହୋଇଲେ ତ ଗରୁଡ଼ ସେତ ପକ୍ଷୀଙ୍କ ରାଜା।
ସାଧୁଜନ ମାନେ ଏକଥା ପ୍ରତି ଦେବ ହେ ଧ୍ଯାନ
ସତପଥେ ମନ ରଖିଲେ ହେବ ଜୀବନ ଧନ୍ୟ।
