କେତେ ଯେ ଗୋପନ କଥା
କେତେ ଯେ ଗୋପନ କଥା
କେତେ ଯେ ଶେଫାଳି ଯାଇଛି ମଉଳି
ଗୋପନେ ରାତିର କୋଳେ,
ସିନ୍ଦୁରା ଫିଟିଲେ ନଥାଏ ତା ବାସ
ଜଗତ ଗହଳ ମେଳେ।
କୁହୁଳି କୁହୁଳି ମରିଯାଏ ନିଆଁ
ଅଗଣା ଚୁଲି ପାଉଁଶେ,
ତାପ ଗଲେ ଭାଙ୍ଗି ଅଲୋଡ଼ା ପାଉଁଶ
ପୋଖରୀ ତୁଠରେ ଭାସେ।
ଆକାଶ ଛାତିରେ ଠିକଣା ହଜାଇ
ହଜେ ଲୁକ୍କାୟିତ କ୍ଷୋଭ,
କିଛି ଯାଏ ବର୍ଷି କିଛି ଯାଏ ଭାସି
ଘନୀଭୂତ ସୁପ୍ତ ଭାବ।
ଛାଡ଼ି ଆସିଛି ସେ ହାତ ଲେଖା ଚିଠି
ପହିଲି ପ୍ରେମ ସନ୍ତକ,
ନିୟତି ହାତରେ ସମ୍ପି ଦେଇଛି ମୁଁ
ପ୍ରଥମ ପ୍ରୀତି ପୁଲକ।
ଆଖିର ନାରଙ୍ଗୀ ବେଳାଭୂମି ପରେ
କେତେ ଯେ ଲହଡ଼ି ଭାଙ୍ଗେ
କିଛି ଲୀନ ହୁଏ ସାଗର ଗର୍ଭରେ
କିଛି ବାଲି ବନ୍ଧ ଭାଙ୍ଗେ।
କେତେ ଯେ ଗୋପନ କଥା ଯାଏ ଜଳି
ସମୟର ଜଉ ଘରେ,
ଲୋକ ଦେଖାଣିଆ ଓଠ ଧାରେ ହସ
ଭିତରେ ହୃଦୟ ମରେ।