କେତେ ସତ ଏ ବନ୍ଧନ
କେତେ ସତ ଏ ବନ୍ଧନ
ସବୁରି ଭିତରେ ତୁମେ ଥାଅ ବୋଲି
ସଭିଙ୍କୁ ତ ଭଲ ପାଉଛି l
ଦୋଷ ମୋର କୁହ କେଉଁଠି ରହିଲା
ଲୁହ କାହିଁକି ମୁଁ ଢାଳୁଛି l
ମା’ର ମମତା, ପରିବାର ସ୍ନେହ
ସ୍ଵଜନ ବନ୍ଧୁଙ୍କ ପ୍ରୀତିରେ l
ଭଲ ପାଇବାତ ତୁମେ ଶିଖାଇଛ
ବାନ୍ଧି ବନ୍ଧନର ସୂତାରେ l
ବାର ବାର ଛିଣ୍ଡି ତେବେ କୁହ କାହିଁ
ସେ ବନ୍ଧନ ଦୁଃଖ ଦେଉଛି l
ସବୁରି ଆଢୁଆଳେ ଶିକ୍ତ ଆଖି ପତା
ନିରବରେ ପୋଛି ଚାଲୁଛି l
ଅଜ୍ଞାନ ଅନ୍ଧକାରେ ଆଉ କେତେ ବାଟ
ଚାଲିବି ଅଣ୍ଡାଳି ଅଣ୍ଡାଳି l
ଆସି ପାଦ ତଳେ ଆଉ କେତେ ଥର
ଯାଉଥିବି ଲୁହେ ପାଦ ପଖାଳି l
ଯାହାକୁ ଭାବୁଛି ବନ୍ଧୁ ଏ ସଂସାରେ
ସେତ ପଛଘୁଞ୍ଚା ଦେଉଛି l
ହାତ ଧରିବା ପରିବର୍ତ୍ତେ ମୋହର
ଅବିଶ୍ଵାସ ଦୃଷ୍ଟିରେ ମତେ ଚାହୁଁଛି l
ଶେଷ ଆଶ୍ରୟଙ୍କ ଦ୍ଵାରସ୍ଥ ହେବାକୁ
ଏ ଦୁନିଆଁ ବାଧ୍ୟ କରୁଛି l
ସମସ୍ତଙ୍କ ବନ୍ଧୁ ମୋ ବନ୍ଧୁ ହେବାରେ
ଏତେ ଦିନ କାହିଁ ଲାଗୁଛି l