କେତେ ଆଶା ନେଇ ଆସିଛି ଫଗୁଣ
କେତେ ଆଶା ନେଇ ଆସିଛି ଫଗୁଣ
କେତେ ଆଶା ନେଇ ଫଗୁଣ ଆସିଛି
ବରଷକେ ଥରେ ଧରଣୀ ବୁକୁ
ମେଲି ଦେଇ ତା'ର ଶୋଭାର ପସରା
ଝଲସାଇ ଦେଇ ସଭିଙ୍କ ଚକ୍ଷୁ
କରି ବିମୋହିତ ତନମନକୁ
ତା'ର ସମ୍ମୋହନ ଶକତି ବଳରେ
ମାଟିରୁ ଆକାଶ ରଙ୍ଗେଇବାକୁ ।
ସବୁଜ କଅଁଳ ନବ କିଶଳୟ
ସୁଶୋଭିତ ନାନା ପାଦପରାଜି
ନାନା ରଙ୍ଗ ଭରା ପ୍ରସୂନ ସମ୍ଭାରେ
ମଧୁପେ ହରଷେ ଯାଆନ୍ତି ହଜି
ପଞ୍ଚମ ତାନେ ପରଭୂତ ମଜ୍ଜି
ଡାକଇ ତାହାର ପୁରୁଷ ପକ୍ଷୀକୁ
ପ୍ରେମର ରଙ୍ଗରେ ଯିବାକୁ ଭିଜି ।
ଭାବର ପସରା ମେଲି ଦେଇ ଭକ୍ତେ
ହୃଦୟରେ ଭକ୍ତି-ଚନ୍ଦନ ବୋଳି
ଜାଗର ଜାତରେ ଶିବ ମନ୍ଦିରରେ
କରନ୍ତି ମେଳି ଉପବାସ ପାଳି
ଅର୍ଦ୍ଧରାତ୍ରେ ମହାଦୀପ ପ୍ରଜ୍ଜ୍ବଳି
ପବିତ୍ର କରି ତାଙ୍କର ଚର୍ମଚକ୍ଷୁ
ମୁକତିର ପଥ ଦିଅଇ ଖୋଲି ।
ମଳୟ ପରଶ ବିଞ୍ଚଇ ହରଷ
ଅଙ୍ଗେ ଅଙ୍ଗେ ଖେଳଇ ଶିହରଣ
ଶ୍ରୀରାଧା ଗୋବିନ୍ଦ ପଞ୍ଚୁଦୋଳେ ଝୁଲି
କରନ୍ତି ଗମନ ମେଲଣ ସ୍ଥାନ
ଆହା ! କି ଅପୂର୍ବ ମଧୁ-ମିଳନ
ହୋଲି ମେଲିଦିଏ ରଙ୍ଗର ପସରା
କରି ଆହ୍ବାନ ଏକତ୍ବ ବନ୍ଧନ ।
ରଙ୍ଗ ସବାରୀରେ ଆସଇ ଫଗୁଣ
ଆଶା ପୂରଣେ ଋତୁଚକ୍ରେ ଭ୍ରମି
କୀଟଠୁ ମାନବ ତା'ର ସେ ବିଭବ
ବରଷକେ ଥରେ ଯାଆନ୍ତି ଚୁମି
ମାତ୍ର ଫିକା ଆଜି ତା' କର୍ମ ଭୂମି
ବଉଳର ବାସ ପିକ କୁହୁ ତାନ
ଏସନ ପରା ଯାଇଅଛି କମି ।
ହଜୁଅଛି ସତ୍ୟ ବଢ଼ୁଛି ଅସତ୍ୟ
ମାନବ ଆଜି ହୁଏ ପଥହରା
ପ୍ରକୃତି ବିନଷ୍ଟ କରି ବାନ୍ଧେ ଥାଟ
ଫଗୁଣ ହରାଇ ଦିଏ ଆଶରା
କିପରି ପୂରଣ ହେବ ତା' ଅଶା ?
ଯଦି ସଚେତନ ହୋଇ ଏହି ମନ
ବୃକ୍ଷ ରୋପଣେ ନ ଦେବ ଭରସା ।