କେଶବତୀର କ୍ଳେଶ
କେଶବତୀର କ୍ଳେଶ
କବିତା -କେଶବତୀର କ୍ଲେଶ
ରଚନା - ପଞ୍ଚାନନ ଜେନା
ତାରିଖ -୩୧-୧୦-୨୦୨୫
+++++++++++++++
ଆଜିର ଏ ବିଦାୟୀ ବୟସ
ପ୍ରତିକ୍ଷଣେ କରିଚାଲେ ଉପହାସ
ଆଇନା ଆଗରେ ଖତେଇ କହିଯାଏ
କେଶବତୀ କନ୍ୟାର ଅତୀତ ଇତିହାସ
ଆଜିର ଏ ପତ୍ରଝଡ଼ା କେଶବାସ
ଓଠଧାରେ ମରିନାହିଁ ମୁରୁକି ହସ
ହଲିଲା ପାଣିରେ ଭେଟହେଲେ ଛାଇ
ଦୋଳାୟମାନ ଭଙ୍ଗୀରେ କରିଚାଲେ ପରିହାସ
ଆଜିର ଏ କଳାରଙ୍ଗ ମଖା ରୋମାଞ୍ଚ
ଧଳାବାଳ କେଇଟା ଲୁଚେଇବାକୁ ଯାଉ ଯାଉ
ପୁଣି କେଇ ମାସ ପରେ ସଜାହୁଏ ନୂଆମଞ୍ଚ
ରଙ୍ଗବତୀର ରଙ୍ଗକୁ ନେଇ ପ୍ରଗାଢ଼ ପ୍ରପଞ୍ଚ
ଘଞ୍ଚ ନିଘଞ୍ଚ ଲମ୍ବା କେଶର ସମାବେଶ
କେଶବତୀ ଝିଅ ବୋଲି
ପିଲାବେଳୁ
ଡାକୁଥିଲେ ସାହି ପଡ଼ିଶା ଅଶେଷ
କଳା ଘୁମର ବେଣୀ
ନାଲି ରିବନ୍ ବାନ୍ଧି ଡେଉଁଥିଲି ମୁଁ ବାୟାଣୀ
ମରା ନଡ଼ିଆ ତେଲ ଲଗେଇ
ବୋଉ କୁଣ୍ଢେଇ ଦେଉଥିଲା ବାଗେଇ
ଦୁଇ ଧାରିଆ ଓହଳିଥିବା କଳା ନାଗୁଣୀ
କେଶବତୀର କେଶ ଆଜି ମାରେ ନିଃଶ୍ୱାସ
ଝଡିଗଲାଣି ଉପାଡି ଗଲାଣି
ଆଜାନୁ ଲମ୍ବିତ ନିତମ୍ବ ଛୁଉଁଥିବା ଲମ୍ବା ବାଳ
ଆଜି ଜୁଣ ତୃଣ ପରି କୃଶ ଦିଶିଲାଣି
ଗୁଣମୁଗ୍ଧ ଗଭା ଆଜି ରୂପାନ୍ତରିତ ନିବାସ
ଚୁଳିଆଚୁଟିର ରୋଗାବାଳିଆ ବାସ
ଯେତେ ମେହେନ୍ଦୀ ରଙ୍ଗରେ ଦେଲେ ରଙ୍ଗେଇ
ଯେତେ ମାର୍କେଟ ପ୍ୟାକେଟ ଦେଲେ ମିଶେଇ
ସ୍କୁଲ ବେଳର ସେ ଅଳସୀ କନ୍ୟାର କେଶରାଶି
କଲେଜ ବେଳର ସେ ମାଦଳସୀର ଘଞ୍ଚକେଶି
ବାହାଘର ବେଳର ସେ ରାଜହଂସୀର ଗଭା ଗଜରା ନେସି
ଆଜି ଫଟୋ ଆଲବମରେ ନଜର ପଡ଼ନ୍ତେ
ଆଜି ମନ ଗବାକ୍ଷରେ ଦିଶି ମିଶି ଯାଆନ୍ତେ
ଛାତି ତଳେ ମୃଦୁ କଂପନ
ଅନ୍ତର ତଳେ ଅନୁଶୋଚନାର ଶତ ଦହନ
ବିଶ୍ୱାସ ନ ହେଲେ ବି ଥରି ଉଠେ କଂକାଳ
ଅସ୍ତବ୍ୟସ୍ତ ଭାବେ ମୁଣ୍ଡ କୁଣ୍ଡେଇବାକୁ
ଉଠିଯାଏ ବେନି ହସ୍ତ ତତ୍କାଳ
ମାତ୍ର ! ହାଏରେ ହାଏ
ମୁଣ୍ଡ ଉପରେ ଶୋଭିତ ଘଞ୍ଚ ଅରଣ୍ୟମାୟା
ଦିଗହରା ପଥିକ ପରି
ଖୋଜି ବୁଲୁଛି କାଣିଚାଏ ଛାୟା
ଅଳ୍ପ କିଛି ଗଚ୍ଛିତ ଯମାପୁଞ୍ଜି
ବଂଚିଛନ୍ତି
କହିବାକୁ
ଅତୀତର
ଗହଳ କଳା ବାଳ କିଆରୀ ଦୟା ।
